ପଦ୍ମପୁର ଉପନିର୍ବାଚନ; ପ୍ରଚାରର ଶେଷ ଦିନରେ ଜନସମର୍ଥନକୁ ନିଜ ସପକ୍ଷକୁ ନେବା ପାଇଁ କାମ୍ପେନକୁ ଜୋରଦାର କରିଛନ୍ତି ସବୁ ଦଳ
ପଦ୍ମପୁର:ପଦ୍ମପୁରରେ କମ୍ପୁଛି ପ୍ରଚାର । ପଦ୍ମପୁର ଉପନିର୍ବାଚନର ଆଜି ହେଉଛି ଶେଷ ଦିନ । ଏ ନେଇ ରାଜନୈତିକ ଦଳଗୁଡିକ ପ୍ରଚାର ଜୋରଦାର କରିଛନ୍ତି । ସନ୍ଧ୍ୟ ୫ଟା ପର୍ଯ୍ୟନ୍ତ କାମ୍ପେନ କରିପାରିବେ ପ୍ରାର୍ଥୀ । ଶେଷ ଦିନରେ କେଉଁ ଦଳ କେତେ ମାତ୍ରାରେ ପଦ୍ମପୁର ବାସୀଙ୍କୁ ନିଜ ସପକ୍ଷକୁ ନେଇ ପାରିବ ସେ ନେଇ ସବୁ ରାଜନୈତିକ ଗୁଡିକ ସମସ୍ତ କଳବଳ ଖଟାଉଛନ୍ତି । ପଦ୍ମପୁରର ପ୍ରତି କୋଣ ଅନୁକୋଣ ବୁଲି ବୁଲି ଭୋଟ ଭିକ୍ଷା କରୁଛନ୍ତି ।
ତେବେ ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନଙ୍କ କ୍ୟାମ୍ପେନ ପରେ ଆହୁରି ଉତ୍ସାହିତ ହୋଇପଡିଛି ବିଜେଡି ଶିବିର ।ଏହା ସହ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ନୂଆ ଜୋସ୍ ଦେଖିବାକୁ ମିଳିଥିଲା ।ତେବେ ୩ଟି ସ୍ଥାନରେ ବର୍ଷାଙ୍କ ପାଇଁ ପ୍ରଚାର କରି ଆଶୀର୍ବାଦ ମାଗିଛନ୍ତି ନବୀନ । ପଦ୍ମପୁରକୁ କୌଣସି କ୍ଷେତ୍ରରେ ଅବହେଳିତ କରାଯିବ ନାହିଁ । ୨୦୨୩ରେ ଜିଲ୍ଲା ସ୍ବପ୍ନ ସତ ହେବବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏହା ସହିତ କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବର୍ଷି ବିଜେପି ସରକାରକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।
ସୁଚନାମୁତାବକ, ଆସନ୍ତା ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏଥିନେଇ ୩ ପ୍ରମୁଖ ରାଜନୈତିକ ଦଳ ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସର ହେଭିୱେଟ ନେତାମାନେ ପଦ୍ମପୁରରେ ଡେରା ପକାଇ ଜନ ସମର୍ଥନକୁ ନିଜ ସପକ୍ଷକୁ ନେବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି ।