ନେତା ମନ୍ତ୍ରୀଙ୍କ ଆଡ୍ଡା ପରେ ବି ପିପିଲିରେ ନାହିଁ ସଂକ୍ରମଣ

0

ଭୁବନେଶ୍ୱର/ରାଜେଶ ସାହୁ: ମହାମାରୀ କରୋନା ସାଧାରଣ ଜନତାଙ୍କ ହୋସ ଉଡାଇ ଦେବାରେ ଲାଗିଛି । କିଏ ମା’ଙ୍କୁ ନେଇ ହସ୍ପିଟାଲରେ ତ ଆଉ କିଏ ନିଜ ସ୍ତ୍ରୀକୁ ନେଇ । ଏମିତି ଚିତ୍ର ଏବେ ସାରା ଭାରତରେ ଦେଖିବାକୁ ମିଳିଛି । ସ୍ଥିତି ଧୀରେ ଧୀରେ ସଂଗୀନରୁ ଅତି ସଂଗୀନ ହେବାରେ ଲାଗିଛି । କିଛି ରାଜ୍ୟରେ ଅକ୍ସିଜେନର ଦେଖାଦେଇଛି ଉକ୍ରଟ ଅଭାବ । ସେହି ସବୁ ରାଜ୍ୟ ସରକାର ଅକ୍ସିଜେନ ପାଇଁ କେନ୍ଦ୍ର ସରକାରଙ୍କୁ ସହାଯ୍ୟର ଗୁହାର ଲଗାଉଛନ୍ତି । ନାହିଁ ନଥିବା ପରିସ୍ଥିତି ସାରା ଦେଶରେ ଦେଖିବାକୁ ମିଳୁଛି । କିଛି ରାଜ୍ୟ ଏଭଳି ଅବସ୍ଥାକୁ ଦେଖୁ ଲକଡାଉନ ଓ ସଟଡାଉନ ମଧ୍ୟ ଘୋଷଣା କରିସାରିଛନ୍ତି ।

ଏହି କ୍ଷେତ୍ରରେ ଆମ ରାଜ୍ୟର ସ୍ଥିତି ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜୁରାଟ, ଉତ୍ତରପ୍ରଦେଶ ପରି ରାଜ୍ୟଠାରୁ ତୁଳନାତ୍ମକ ଭାବେ ଭଲ ରହିଛି । ତଥାପି ମାତ୍ର ଏକ ମାସ ଭିତରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ସାଢେ ଛଅ ହଜାର ଛୁଇଁଲାଣି । ହେଲେ ନେତାଙ୍କୁ ଏହାର ଫରକ ପଡୁନଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ବିଜେଡି ପକ୍ଷରୁ କୈାଣସି ସଭାସମିତି କି ରାଲୀ କରାଯିବ ନାହିଁ । ହେଲେ ବାସ୍ତବ ଚିତ୍ର ଭିନ୍ନ । ଏବେ ମଧ୍ୟ ପିପିଲିରେ ୨୨ ଜଣ ବିଧାୟକ ଓ ୪୦ରୁ ଅଧିକ କର୍ପୋରେଟର ଡେରା ପକାଇଛନ୍ତି । ମହିଳା ନେତ୍ରୀମାନେ ମହିଳାଙ୍କୁ ନେଇ ମେଳି କରୁଛନ୍ତି । ପିପିଲି ନିର୍ବାଚନ ରଣ କ୍ଷେତ୍ରକୁ ବିଜେଡି ନେତାଙ୍କ ଉପସ୍ଥିତି ଉଠାଉଛି ପକାଉଛିି । ପିପିଲିରେ ବିଜେଡି ନେତାନେତ୍ରୀଙ୍କ ଉପସ୍ଥିତିକୁ ଦେଖି ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସମସ୍ତେ ଯେମିତି ଫୁ କରି ଦେଇଛନ୍ତି । ନୋହିଲେ, କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ କହିବା ପରି ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାର ବିପରିତ କରନ୍ତି । ଖାଲି ରାଜ୍ୟବାସୀଙ୍କ ଆଗରେ ମହାନ ଦେଖେଇ ହେବାକୁ ତାଙ୍କ ଦଳ ଜନସମାବେଶ କରିବ ନାହିଁ କହିଥିବା ବେଳେ କିନ୍ତୁ ଭିତରେ ନିଜ ବିଧାୟକମାନଙ୍କୁ ପଠାଇ ଦେଇଛନ୍ତି ପିପିଲି ସେଠାରେ ପ୍ରଚାର ସମ୍ଭାଳିବା ପାଇଁ । ଯଦି ବାସ୍ତବରେ ରାଜ୍ୟବାସୀ ତଥା ପିପିଲି ବାସୀଙ୍କ ସୁରକ୍ଷାକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି । ତେବେ କାହିଁ ଏହା ଉପରେ ପଦକ୍ଷେପ ନେଉ ନାହାନ୍ତି? କାହିଁ ଦଳୀୟ ବିଧାୟକଙ୍କୁ ପିପିଲି ଛାଡିବାକୁ ନିର୍ଦ୍ଦେଶ ଦେଉ ନାହାନ୍ତି ।


ଅନ୍ୟ ପଟେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି । ପିପିଲିରେ କରୋନାରେ ସଂକ୍ରମିତ ହୋଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ମୃତ୍ୟୁବରଣ କଲେ । ନରସିଂହ ମିଶ୍ର କରୋନା ସଂକ୍ରମିତ ହେଲେ । ଅଥଚ ସବୁ ଦଳର ଏତେ ଜନସମାବେଶ, ପ୍ରଚାର ସତ୍ତେ୍ୱ କିପରି ପିପିଲିର ସଂକ୍ରମଣ ନିୟନ୍ତ୍ରଣରେ ରହିଛି? ନା ନିର୍ବାଚନ ଥିବାରୁ ପିପିଲି ସଂକ୍ରମଣ ସମ୍ପର୍କରେ ସରକାର ସ୍ପଷ୍ଟ ଚିତ୍ର ସାର୍ବଜନୀନ ନ କରି ପିପିଲି ଆସନକୁ ହାତେଇବାକୁ ଚଳାଇଛନ୍ତି ଭିତିରି ଷଡଯନ୍ତ୍ର?