ଜିଲ୍ଲା ପର୍ଯ୍ୟବେକ୍ଷକ ସତ୍ତ୍ୱେ ନିରାଶ ପ୍ରମିଳା

0

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ସମସ୍ତ ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି । ୨୬ ଜଣଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ମଧ୍ୟରେ ରହିଛି ବିଞ୍ଝାରପୁରରୁ ୩ ଥର ବିଧାୟିକା ହୋଇଥିବା ପ୍ରମିଳା ମଲ୍ଲିକଙ୍କ ନାମ । ପ୍ରମିଳାଙ୍କୁ ଦିଆଯାଇଛି ଖୋର୍ଦ୍ଧାର ଦାୟିତ୍ୱ । ଏହି ତାଲିକାରୁ ଅନେକ ବରିଷ୍ଠ ବାଦ ପଡି ନିରାଶ ହୋଇଥିବା ବେଳେ ପ୍ରମିଳା ତାଲିକାରେ ସାମିଲ ହୋଇ ମଧ୍ୟ ତଥା ଖୋର୍ଦ୍ଧା ପରି ଜିଲ୍ଲାର ପାଇ ମଧ୍ୟ ସନ୍ତୁଷ୍ଟ ନାହାନ୍ତି । ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ତାଲିକାରେ ପ୍ରମିଳାଙ୍କ ନାମ ସାମିଲ କରି ତାଙ୍କ ସବୁ ସ୍ୱପ୍ନକୁ ଛାରଖାର କରିଦେଇଛି ଦଳ ।

 

ସାଧାରଣ ନିର୍ବାଚନ ପରେ ମନ୍ତ୍ରୀ ପଦକୁ କେତେ ଆଶା ରଖିଥିଲେ ପ୍ରମିଳା । କିନ୍ତୁ ତାଙ୍କୁ ସୁପ୍ରିମୋ ମନ୍ତ୍ରୀମଣ୍ଡଳନରେ ସାମିଲ କଲେ ନାହିଁ । ଯାହା ତାଙ୍କ ସବୁ ଆଶାକୁ ଧୂଳିସାତ କରି ଦେଇଥିଲା । ୩ ଥରର ବିଧାୟିକା ହେବା ସତ୍ତ୍ୱେ ନବୀନଙ୍କ ଅଣଦେଖା ତାଙ୍କ ପାଇଁ ଅସହ୍ୟ ହୋଇପଡିଥିଲା । ଏନେଇ ପ୍ରମିଳା ତଥା ତାଙ୍କ ସମର୍ଥକ ଚଳାଥିଲେ ଦଳ ସହ ଅସହଯୋଗ । ତେଣୁ ସୁପ୍ରିମୋ ତାଙ୍କୁ ଅବଶ୍ୟ ବିଧାନସଭା  ମୁଖ୍ୟ ସଚେତକ  ଭାବେ ନିଯୁକ୍ତ କରି ସନ୍ତୁଷ୍ଟ କରିଥିଲେ । ଅସନ୍ତୋଷ ସତ୍ତ୍ୱେ ଚୁପ ରହିଥିଲେ ପ୍ରମିଳା । କାରଣ ଦଳ ତଥା ସୁପ୍ରିମୋଙ୍କ ପ୍ରତି ଅସନ୍ତୋଷ ପ୍ରଦର୍ଶନ ତାଙ୍କ ରାଜନୈତିକ କ୍ୟାରିୟରକୁ ଶେଷ କରିଦେବ ଏକଥା ପ୍ରମିଳା ଭଲଭାବେ ଜାଣିଥିଲେ ।

ତେବେ ଆଶା ଥିଲା ଆଗାମୀ ଦିନରେ ବାଚସ୍ପତି ପଦ ପାଇଁ ସେ ମନୋନୀତ ହେବେ । କାରଣ ଦଳରେ ମହିଳା ବିଧାୟିକାଙ୍କ ମଧ୍ୟରେ ସେ ଜଣେ ଅଭିଜ୍ଞ, ବରିଷ୍ଠ ସଦସ୍ୟ । ପୂର୍ବରୁ ମଧ୍ୟ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଅବଶ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବା ବେଳେ ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇପଡିଥିଲେ । କିନ୍ତୁ ଚଳିତ ଥର ଟିକେଟ ହାତେଇବା ପରେ ସୁପ୍ରିମୋଙ୍କ ତାଙ୍କ ପ୍ରତି କୌଣସି ବିକାର ନ ଥିବା ସ୍ପଷ୍ଟ ହୋଇଥିଲା । ଏହା ପରେ ତାଙ୍କ ଆଖି ଥିଲା ବାଚସ୍ପତି ପଦ ଉପରେ । ଚର୍ଚ୍ଚା ହେଉଥିଲା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ବ୍ରହ୍ମପୁରର ଦାୟିତ୍ୱ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କୁ ଦିଆଯିବ । ଏଥିପାଇଁ ତାଙ୍କୁ ବାଚସ୍ପତି ପଦବୀ ଛାଡିବାକୁ ହେବ

ଏହି ସମୟରେ ପ୍ରମିଳାଙ୍କୁ ସୁପ୍ରିମୋ ବାଚସ୍ପତି ପଦ ଦେବେ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା । ତାଙ୍କର ବିଶ୍ୱାସ ଥିଲା ମହିଳାଙ୍କୁ ସୁପ୍ରିମୋ ପ୍ରାଧାନ୍ୟ ଦେଉଥିବା ତଥା ମହିଳା ସଶକ୍ତିକରଣକୁ ନେଇ ଡିଣ୍ଡିମ ପିଟୁଥିବା ସୁପ୍ରିମୋ ବାଚସ୍ପତି ଭାବେ ତାଙ୍କୁ ହିଁ ମନୋନୀତ କରିବେ । କିନ୍ତୁ ଆଜିର ଏହି ପର୍ଯ୍ୟବେକ୍ଷକ ତାଲିକା ତାଙ୍କ ସବୁ ଆଶାକୁ ଚୁରମାର କରିଦେଇଛି ।