ଭୁବନେଶ୍ୱର:ସାରାଦେଶ ପାଇଛି ୧୫ତମ ରାଷ୍ଟ୍ରପତି |ସେ ହେଉଛନ୍ତି ଓଡିଶା ମାଟିର ସୁଯୋଗ୍ୟ କନ୍ୟା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |ତାଙ୍କ ଜୀବନ ଉପରେ ଲେଖାହେବ ଏକ ଜୀବନୀ ଗ୍ରନ୍ଥ |ଏନେଇ ତାରିଖ ଓ ଲେଖକ ଘୋଷଣା ହୋଇଯାଇଛି |୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ସର୍ବକନିଷ୍ଠା, ପ୍ରଥମ ଜନଜାତି ସମ୍ପ୍ରଦାୟର ଏବଂ ଦେଶ ସ୍ବାଧୀନ ହେବା ପରେ ଜନ୍ମିତା ରାଷ୍ଟ୍ରପତି।
ଜୀବନରେ ବହୁ ସଂଘର୍ଷ କରି ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଆସନରେ ବସିଥିବା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ ଓ ତାଙ୍କର ସଫଳତାକୁ ଆଧାର କରି ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ପ୍ରକାଶ କରିବ ତାଙ୍କର ଜୀବନୀ ଗ୍ରନ୍ଥ। ‘‘ମ୍ୟାଡମ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ ଦ୍ରୌପଦୀ ମୁର୍ମୁ’ ପୁସ୍ତକ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ଜୀବନ ପାଇଁ ଏକ ଝରକା ଖୋଲିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ଘୋଷଣା କରିଛି ପ୍ରକାଶନୀ ସଂସ୍ଥା ପେଙ୍ଗୁଇନ୍।
ଏଥିରେ ଭାରତର ୧୫ତମ ରାଷ୍ଟ୍ରପତିଙ୍କ ବାଲ୍ୟଜୀବନ, ସଂଘର୍ଷ, ରାଜନୈତିକ ଜୀବନ ଏବଂ କାଉନସିଲରରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ଯାତ୍ରା ସବୁ ଉଲ୍ଲେଖ ରହିବ। ମ୍ୟାଡାମ୍ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ୍ ଦ୍ରୌପଦୀ ମୁର୍ମୁ’ ଶୀର୍ଷକ ଏହି ପ୍ରସ୍ତାବିତ ପ୍ରଥମ ବିସ୍ତୃତ ଜୀବନୀ ଗ୍ରନ୍ଥକୁ ଲେଖିବେ ଓଡ଼ିଶାର ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ଏନେଇ ପେଙ୍ଗୁଇନ ରେଣ୍ଡମ ହାଉସ ଇଣ୍ଡିଆ ମଙ୍ଗଳବାର ଘୋଷଣା କରିଛି।