କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଅନୁମୋଦିତ ଟଙ୍କା ହରିଲୁଟ ଅଭିଯୋଗ

0

(ଜ୍ୟୋତିରଞ୍ଜନ ଧର/କଣିହାଁ): ଅନୁଗୋଳ ଜିଲା କଣିହାଁ ବ୍ଲକ କୁଳୁମା ପଞ୍ଚାୟତରେ ଚାଷୀଙ୍କ ଫସଲକୁ ଜଳସେଚନ ପାଇଁ ୨୦୦୪ ମସିହାରେ କୁଳୁମା ନୂଆଁବନ୍ଧ ଓ ତେଲିପଶି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପରେ ୩ ଶହ ଏକର ଜମିକୁ ଜଳର ସୁବଣ୍ଟନ କରାଯିବାର ଧାର୍ୟ୍ୟ କରାଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ପ୍ରକଳ୍ପର ମରାମତି କାର୍ଯ୍ୟ ମଧ୍ୟ ହୋଇଛି । ତେବେ ଏଥିପାଇଁ ଅନୁମୋଦନ ହୋଇଥିବା ଟଙ୍କା ବାଟମାରଣା ହୋଇଛି ବୋଲି ଅଭିଯୋଗ ହେଉଛି । ତେବେ ଦୁଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମରାମତି ନିମ୍ନ ଧରଣର ହୋଇଥିବାରୁ ଚାଷୀମାନଙ୍କ ଜମିକୁ ପୂର୍ବ ପରି ପାଣି ଆସୁନଥିବା ସୂଚନା ମିଳିଛି । ଫଳରେ ଜଳସେଚନ ପ୍ରକଳ୍ପ ଦୁଇଟିର ମରାମତି ପାଇଁ ଆସିଥିବା ଟଙ୍କାକୁ ଠିକାଦାର ଓ ନେତା ହରିଲୁଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନା’ରେ ୭୨ଲକ୍ଷ ହରିଲୁଟ କରିନେଲେ ବୋଲି ଏକାଧିକ ଚାଷି ଅଭିଯୋଗ କରିଛନ୍ତି । କୁଳୁମା ନୂଆଁବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୩୫ ଲକ୍ଷ ୮୨ ହଜାର ୨୧୪ ଟଙ୍କା ଓ ତେଲିପଶି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୩୬ ଲକ୍ଷ ୮୮ ହଜାର ୯୪୫ ଟଙ୍କା ଅନୁମୋଦନ କରାଯାଇଥିଲା । ଫଳରେ କୁଳୁମା ଅଞ୍ଚଳରେ ଖରିଫି ଋତୁରେ ୨୫୦ଏକର ଓ ରବି ଋତୁରେ ୫୦ ଏକର ଜମିରେ ଚାଷ ହୋଇପାରୁଥିଲା। ଏହି ଜମିରେ ଜଳସେଚନ ପାଇଁ ଚାଷୀମାନେ ଜଳ କର ମଧ୍ୟ ଦେଇଥାନ୍ତି । ବର୍ତ୍ତମାନ ଜଳସେଚନ ପ୍ରକଳ୍ପର ନିମ୍ନମାନର କାମ ପାଇଁ କେନାଲଗୁଡିକ ପଙ୍କ, ମାଟି ଓ ବାଲି ଆଦିରେ ପୋତିହୋଇ ପଡିଛି। ଏହି ଅଞ୍ଚଳରେ ଲୋକମାନେ ଚାଷ ଉପରେ ନିର୍ଭର ଥିବା କରୁଥିବା ବେଳେ ପାଣି ପ୍ରବାହରେ ବାଧା ସୃଷ୍ଟି ହେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ଅନେକ କେନାଲର ତଳମୁଣ୍ଡରେ ପାଣି ପହଞ୍ଚୁ ନାହିଁ। ଏହାର ନିର୍ମାଣ ଓ ମରାମତି ସଠିକ୍ ଭାବରେ ହୋଇନପାରିବାରୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ତାଳଚେର ଓ କଣିହାଁର କ୍ଷୁଦ୍ର ଜଳସେଚନର କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଯିବାରୁ ସେ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ସେହିପରି ଅଭିଯୋଗ ହେଲେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କଣିହାଁ ବିଡିଓ ପ୍ରତିଶୃତି ଦେଇଛନ୍ତି । ବନମାଳୀ ନନ୍ଦ କୁହନ୍ତି ଯେ, ଅଭିଯୋଗ ମିଥ୍ୟା କହିଥିବା ବେଳେ କଣିହାଁ ବିଡ଼ିଓ ରମେଶ କୁମାର ଜେନା କହିଛନ୍ତି ଯେ ,ଅଭିଯୋଗ ଆସିଲେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଗୋଚର କରି ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଚାଷ ଜମିକୁ ଜଳସେଚନ କରିବାରେ ଅସୁବିଧା ହେଉଥିବାରୁ ଚାଷୀ ନାନା ଯାତନା ଭୋଗୁଛି । ଏହି ଦୁଇ ପ୍ରକଳ୍ପ ନିର୍ମାଣ କାର୍ୟ୍ୟର ଉଚ୍ଚସ୍ତରିୟ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।