ପୁରୀ : ଡକାୟତି ଘଟଣାରେ ଚାଞ୍ଚଲ୍ୟ କର ମୋଡ଼। ଡକାୟତି ଗ୍ୟାଙ୍ଗର କିଙ୍ଗପିନ୍ ବାହାରିଲେ ଜଣେ ସରପଞ୍ଚ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁରୀ ପୋଲିସ ଏକ ଡକାୟତି ଗ୍ୟାଙ୍ଗ ଘଟଣାର ଚାଞ୍ଚଲ୍ୟ କର ତଥ୍ୟ ପର୍ଦ୍ଧାଫାଶ କରିଛି। ଡକାୟତି ଗ୍ୟାଙ୍ଗର କିଙ୍ଗପିନ୍ ହେଲେ ଯାଜପୁର ଜିଲ୍ଲା କଳିଙ୍ଗନଗର ଯଖପୁରାର ସରପଞ୍ଚ ଅରୁଣଜ୍ୟୋତି ସାମଲ। ଏଥିସହ ତାଙ୍କ ସହଯୋଗୀ ବିଶ୍ବଜିତ ଘଡେ଼ଇ ଓ ଜ୍ଞାନରଞ୍ଜନ ସାମଲକୁ ପୁରୀ ତାଳବଣିଆ ଥାନା ପୋଲିସ ଗିରଫ କରିଛି । ଗତ ୨୭ ତାରିଖ ରାତିରେ ତାଳବଣିଆ ଥାନା ନିକଟରେ ପୁରୀ ପୋଲିସର କନଷ୍ଟେବଳ ବଳରାମ ମଲ୍ଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଏହି ଅଭିଯୁକ୍ତ ମାନେ ସୁନାଚେନ୍ ଲୁଟି ନେଇଥିଲେ । ଥାନାରେ ଅଭିଯୋଗ ପରେ ତାଳବଣିଆ ଥାନା ପୋଲିସ ତଦନ୍ତ କରି ଯଖପୁରାର ସରପଞ୍ଚ ଅରୁଣଜ୍ୟୋତି ସାମଲ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ତେବେ ଡକାୟତି ଘଟଣାରେ ଜଣେ ସରପଞ୍ଚ ଗିରଫ ହେବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।
ପୁରୀ ତାଳବଣିଆ ଥାନା ଦ୍ବାରା ଗିରଫ ହୋଇଥିବା ଯଖପୁରା ସରପଞ୍ଚ ଅରୁଣଜ୍ୟୋତି ସାମଲଙ୍କ କଳା କାରନାମା ଧିରେ ଧିରେ ସାମ୍ନାକୁ ଆସୁଛି। । ଅଭିଯୁକ୍ତ ସରପଞ୍ଚ ଅରୁଣଜ୍ୟୋତି ତାଙ୍କ ସହଯୋଗୀଙ୍କ ସହ ମିଶି ମାରଣାସ୍ତ୍ର ଓ ପେଟ୍ରୋଲ୍ ବମ୍ ପକାଇ ଜଣେ ଠିକାଦାରଙ୍କୁ ଜୀବନରେ ମାରିଦେବା ପାଇଁ କିଭଳି ଉଦ୍ୟମ କରୁଛନ୍ତି ଏକ ସିସିଟିଭି ରୁ ଫୁଟେଜ ଜଣାପଡିଛି। ଗତ ୧୯ ତାରିଖ ଦିନ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଦାଦାବଟି ମାଗିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ ଏହି ଅଭିଯୁକ୍ତ ସରପଞ୍ଚ ଓ ତାଙ୍କ ସହଯୋଗୀ । ଏହି ଅଭିଯୋଗକୁ ଭିତ୍ତି କରି ଯଖପୁରା ପୋଲିସ ଅରୁଣଜ୍ୟୋତି ଓ ଅନ୍ୟମାନଙ୍କୁ ଖୋଜୁଥିବା ବେଳେ ସେମାନେ ଫେରାର ହୋଇଯାଇଥିଲେ । ତେବେ ଫେରାର ଥିବା ସମୟରେ ଅଭିଯୁକ୍ତ ମାନେ ପୁରୀ ଆସି ଜଣେ ପୋଲିସଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଡକାୟତି କରିବାରେ ଜଣେ ସରପଞ୍ଚ ସମ୍ପୃକ୍ତି ରହିବା ନେଇ ସାଧାରଣରେ ନିନ୍ଦା କରାଯାଇଛି । ନିଜ ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ଜନସାଧାରଣ ନିଜର ଜନପ୍ରତିନିଧି ନିର୍ବାଚିତ କରିଥାନ୍ତି । ତେବେ ଲୋକ ପ୍ରତିନିଧି ତଥା ଯଖପୁରା ସରପଞ୍ଚ ଅରୁଣଜ୍ୟୋତି ସାମଲ ଡକାୟତି ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତି ରହିବା ନେଇ ଏକ କଳଙ୍କ ସୃଷ୍ଟି କରିଛି।