ଆସିକା ସୋସାଇଟି ନିର୍ବାଚନ ପାଇଁ କଡା ଟକ୍କର

0

ଆସ୍କା/ କମଳିନୀ ହୋତା :ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ପରିଚାଳନା ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନାମାଙ୍କନ ଦାଖଲର ଶେଷ ସମୟ ସୁଦ୍ଧା ୧୫ ଗୋଟି ଜୋନରୁ ମୋଟ ୪୩ ଗୋଟି ପାର୍ଥିପତ୍ର ଦାଖଲ ହୋଇଛି। ନିର୍ବାଚନ ଅଧିକାରୀ ତଥା ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରାଙ୍କ ତତ୍ୱାବଧାନରେ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିଥିଲେ ସମବାୟ ବିଭାଗୀୟ ସହକାରୀ ନିବନ୍ଧକ ପ୍ରମୋଦ ପଣ୍ଡା ଓ ତାଙ୍କ କର୍ମଚାରୀ ବୃନ୍ଦ। ୨୦୨୦ ବର୍ଷର ପରିଚାଳନା ପରିଷଦର ବୋର୍ଡ ଅବଧି ଶେଷ ହୋଇଯିବା ପରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଏହାର ପରିଚାଳନା ଦାୟିତ୍ୱ ତୁଲାଇ ଆସୁଥିଲେ। ସରକାରଙ୍କ ଦ୍ୱାରା ସମବାୟ ବିଭାଗ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହି ବ୍ୟାଙ୍କ ଅଧିନରେ ଥିବା ସମସ୍ତ ସୋସାଇଟିର ନିର୍ବାଚନ ସରିଯାଇଛି। ସୋସାଇଟିରୁ ନୋମିନେଟ ହୋଇଥିବା ବ୍ୟକ୍ତି ବିଶେଷ ମାନେ ସମବାୟ କେନ୍ଦ୍ର ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ . ଏହି ସମବାୟ ଅନୁଷ୍ଠାନଟି ବହୁ ପୁରାତନ ହେତୁ ଏବଂ ଏସଂସ୍ଥା ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବାରୁ ରାଜନେତା ଠାରୁ ଆରମ୍ଭ କରି ବିଭିନ୍ନ ଦଳ ଏହି ବ୍ୟାଙ୍କର ପରିଚାଳନା ଦାୟିତ୍ୱ ହଟେଇବା ପାଇଁ ବଳକଷା ଆରମ୍ଭ ହୋଇଯାଇଛି।

ଆସିକା, କବିସୂର୍ୟ୍ୟନଗର, , କୋଦଳା, ପୋଲସରା,ବୁଗୁଡ଼ା, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ଭଞ୍ଜନଗର, ସୋରଡ଼ା, ଶେରଗଡ଼, ଧରାକୋଟ, ପାଟପୁର ପ୍ରମୁଖ ସ୍ଥାନରେ ଉକ୍ତ ବ୍ୟାଙ୍କର ଶାଖା ରହିଥିବା ବେଳେ ସାତଟି ନିର୍ବାଚନ ମଣ୍ଡଳୀରେ ଏହି ସଂସ୍ଥାର କାରବାର ଚାଲିଛି। ବିଶେଷ କରି ଶାସକ ଦଳର ସାତ ବିଧାୟକ ଏବଂ ଜଣେ ମନ୍ତ୍ରୀ ଓ ବାଚସ୍ପତି ତାଙ୍କ ନିଜ ନିଜ ସମର୍ଥକ ମାନେ ଏହି ନିର୍ବାଚନରେ ଅବତିର୍ଣ୍ଣ ହୋଇଛନ୍ତି। ଆସନ୍ତା ୧୪ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତିହାରର ଶେଷଦିନ ହୋଇଥିବା ବେଳେ ୧୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପାର୍ଥି ଏବଂ ତାଙ୍କ ସଂକେତ ପ୍ରକାଶିତ ହେବ।ଆସନ୍ତା ୩୦ତାରିଖରେ ନିର୍ବାଚନ ହେବ।

୧ ନମ୍ବର ଜୋନ ପାଇଁ ୪ଜଣ,୨ନମ୍ବର ପାଇଁ ୫ଜଣ,୩ନମ୍ବର ଜୋନ ପାଇଁ ୧ଜଣ,୪ନମ୍ବର ପାଇଁ ୪ଜଣ,୫ନମ୍ବର ପାଇଁ ୪ଜଣ,୬ନମ୍ବର ପାଇଁ ୨ଜଣ,୮ନମ୍ବର ପାଇଁ ୪ଜଣ,୯ନମ୍ବର ପାଇଁ ୩ଜଣ,୧୦ନମ୍ବର ପାଇଁ ୧ଜଣ,୧୨ନମ୍ବର ପାଇଁ ୩ଜଣ,୧୩ନମ୍ବର ପାଇଁ ୨ଜଣ,୧୪ନମ୍ବର ପାଇଁ ୧ଜଣ, ୧୫ ନମ୍ବର ପାଇଁ ୬ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୩ନମ୍ବର ଓ ୭ନମ୍ବର ଜୋନ ଅପ୍ରତିଦ୍ବନ୍ଦି ହୋଇଥିବା ଜଣାପଡିଛି।ଆସିକା ହରିହର ହାଇସ୍କୁଲ ଠାରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଫଳାଫଳ ଘୋଷଣା ମଧ୍ୟ ସେହିଠାରେ ହିଁ ହେବ ବୋଲି ସୂଚନା ମିଳିଛି।ଆଜିର ନାମାଙ୍କନ ପ୍ରକ୍ରିୟାରେ ବ୍ୟାଙ୍କ ସମ୍ପାଦକ ମହେନ୍ଦ୍ର ନାଥ ସାମଲ, ସହ ସମ୍ପାଦକ ନୀଳାଞ୍ଚଳ ପଣ୍ଡା,ସହାୟକ କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।