ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେଉଛି। ଫଳରେ ଧାନ ଉତ୍ପାଦନ କମିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯାହାଫଳରେ ପୃଥିବୀରେ ଚାଉଳ ଜନିତ ସଙ୍କଟ ଦେଖା ଦେଇପାରେ। ଏପଟେ ଚାଉଳର ଦାମ ବଢିବାକୁ ଯାଉଛି। ଅଭାବୀ ବର୍ଷା ଦର ବଢିବା ପଛର ପ୍ରମୁଖ କାରଣ ରହିଥିବା ଜଣାପଡିଛି। ଅଭାବୀ ବର୍ଷା ଫଳରେ ଚାଷୀମାନେ ବିଲରେ ଧାନ ବିହନ ବୁଣିବା ପ୍ରକ୍ରିୟାରେ ବିଳମ୍ବ କରିଛନ୍ତି। ଫଳରେ ଚାଉଳର ଉତ୍ପାଦନ କମିବାର ଆଶଙ୍କା କରାଯାଉଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ସମେତ ଅଧିକ ଧାନ ଉତ୍ପାଦନ ହେଉଥିବା ରାଜ୍ୟରେ ଧାନ ବୁଣିବାରେ ବିଳମ୍ବ ହୋଇଛି। ଫଳରେ ଧାନ ଉତ୍ପାଦନ ୧୩ ପ୍ରତିଶତ କମିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଓଡି଼ଶା, ଛତିଶଗଡ, ପଶ୍ଚିମବଙ୍ଗ ଭଳି ଅଧିକ ଧାନ ଓ ଚାଉଳ ଉତ୍ପାଦନକାରୀ ରାଜ୍ୟରେ ମଧ୍ୟ ନିଅଣ୍ଟିଆ ବର୍ଷାର ସାମ୍ନା କରିବାକୁ ପଡିଛି। ସେପଟେ ଚାଉଳ ଉତ୍ପାଦନ କମିଗଲେ ଘରୋଇ ବଜାରକୁ ନିୟନ୍ତ୍ରଣ କରିବା ପାଇଁ ଚାଉଳ ରପ୍ତାନୀ ଉପରେ ସରକାର ରୋକ ଲଗାଇପାରନ୍ତି। ଫଳରେ ଅନେକ ଖାଦ୍ୟ ସଙ୍କଟ ଦେଖାଦେଇପାରେ।
ସମଗ୍ର ବିଶ୍ୱରେ ଚିନ ଏବଂ ଭାରତ ସର୍ବାଧିକ ଚାଉଳ ଉତ୍ପାଦନ କରନ୍ତି। ଚାଉଳ ରପ୍ତାନୀରେ ଭାରତ ପୃଥିବୀରେ ପ୍ରଥମ ସ୍ଥାନ ହାସଲ କରିଛି। କାରଣ ବିଶ୍ୱ ବଜାରରେ ଚାଉଳ ରପ୍ତାନୀରେ ଭାରତର ଯୋଗଦାନ ୪୦ ପ୍ରତିଶତ ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ କିସମର ଚାଉଳର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଚାଉଳ ଉତ୍ପାଦନରେ ହ୍ରାସ ଘଟିଲେ ମୁଦ୍ରାସ୍ପୀତି ବୃଦ୍ଧି ପାଇବ। ଯାହା ଫଳରେ ଆଗାମୀ ଦିନରେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ସୃଷି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁସାରେ ଋଷ – ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱରେ ଖାଦ୍ୟାଭାବ ଦେଖାଦେଇଛି। ପ୍ରଥମେ ଭାରତ ପକ୍ଷରୁ ଗହମ ରପ୍ତାନୀ ଉପରେ କଟକଣା ଲଗାଯାଇଥିଲା। ଆସନ୍ତା ସେପ୍ଟେମ୍ବର ମାସରେ ଚାଉଳର ଦର ଟନ ପିଛା ୪ ଶହ ଡଲାରକୁ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ବର୍ତ୍ତମାନ ଭାରତରେ ଚାଉଳର ଟନ ପିଛା ରପ୍ତାନୀ ମୂଲ୍ୟ ୩୬୫ ଡଲାର ରହିଥିବା ଜଣାପଡିଛି।