ଆଇପିଏଲ ମହାସମରରେ ଆଜି ରାଜସ୍ଥାନ-ପଞ୍ଜାବ ମୁକାବିଲା

0

ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୋୟଲ୍ସ ଏବଂ ପଞ୍ଜାବ କିଙ୍ଗସ । ଉଭୟ ଦଳରେ ବିସ୍ଫୋରକ ଖେଳାଳୀ ମାନଙ୍କର ରହିଛି ଲମ୍ବା ଲାଇନ, ତେଣୁ ଆଜିର ମ୍ୟାଚ ନିଶ୍ଚୟ ବଡ ସ୍କୋର ବିଶିଷ୍ଟ ହେବ ବୋଲି ଆଶା ରହିଛି । ପାଳି ଆରମ୍ଭରୁ ଜୋସ ବଟଲରଙ୍କ ଭଳି ଜଣେ ଉଦ୍ଦୀୟମାନ ବ୍ୟାଟ୍ସମ୍ୟାନଙ୍କ ନିକଟରୁ ଦଳ ଏକ ଭଲ ଷ୍ଟାର୍ଟ ଆଶା କରିବ । ତେବେ ମିଡିଲ ଅର୍ଡରରେ ନବ ନିଯୁକ୍ତ ଅଧିନାୟକ ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଶିଭମ ଦୁବେ,ରିଆନ ପରାଗଙ୍କ ସହ ରହୁଲ ତେୱାତିଆ ଦଳର ବ୍ୟାଟିଂ ଲାଇନ ଅପକୁ ମଜଭୁତ କରାଇବେ । ତେବେ ସମସ୍ତଙ୍କ ନଜର ରହିବ ୧୬.୨୫କୋଟି ଟଙ୍କା ବଦଳରେ ଦଳରେ ସ୍ଥାନ ପାଇଥିବା କ୍ରିସ ମୋରିସଙ୍କ ଉପରେ । ବୋଲିଂ କ୍ଷେତ୍ରରେ ମଧ୍ୟ ଦଳ ନିକଟରେ ଅନେକ ବିକଳ୍ପ ରହିଛି । ପେସ ଆଟାକରେ ଅଛନ୍ତି ମୁସ୍ତାପିଜୁର ରହମାନ, ଯୁବ କାର୍ତ୍ତିକ ତ୍ୟାଗୀ ଏବଂ ଜୟଦେବ ଉନଦକତଙ୍କ ଭଳି ପ୍ରତିଭା । କିନ୍ତୁ ଏମାନଙ୍କ ସାମ୍ନାରେ ଗତବର୍ଷର ସଫଳତମ ପ୍ରାରମ୍ଭିକ ଯୋଡି ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ ଏବଂ କ୍ରିସ ଗେଲଙ୍କ ରୂପରେ ରହେିବ ବଡ ବଡ ପ୍ରତିବନ୍ଧକ । ଏମାନଙ୍କ ପରେ ଡାଭିଡ ମଲାନ, ସାହରୁକ ଖାନ ଏବଂ ନିକୋଲସ ପୁରନ ଦଳ ପାଇଁ ଫିନିଶରର ଭୂମିକା ନିର୍ବାହ କରିବେ । ଦଳର ବୋଲିଂ ୟୁନିଟକୁ ମହମ୍ମଦ ସାମୀ, ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଝାଏ ରିଚାର୍ଡସନଙ୍କ ସହ ସ୍ପିନ ବିଭାଗରେ ମୁରୁଗାନ ଅଶ୍ୱିନ ଏବଂ ରବି ବିଷ୍ଣୋଇ ବିପକ୍ଷ ଦଳକୁ ଚକମା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ କିଙ୍ଗସ ଇଲେଭେନ ପଞ୍ଜାବରୁ ପଞ୍ଜାବ କିଙ୍ଗସର ଭାଗ୍ୟ ବଦଳିବ ନା ୨୦୨୧ ସିଜନରେ ମଧ୍ୟ ଖାଲି ହାତରେ ରହିବ ପ୍ରତି ଜିଣ୍ଟାଙ୍କ ଦଳ ।