କରୋନା କାଳରେ ଭାରତୀୟ ସ୍ୱିସ ଆକାଉଣ୍ଟରେ ଆଶାତୀତ ଅଭିବୃଦ୍ଧି

0

ନୂଆଦିଲ୍ଲୀ: ୨୦୧୪ରେ ସ୍ୱିସ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳାଧନ ଦେଶକୁ ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇ ନରେନ୍ଦ୍ର ମୋଦି ସରକାରକୁ ଆସିଥିଲେ । କିନ୍ତୁ ଏହା ମଧ୍ୟରେ ୭ ବର୍ଷ ବିତି ଯାଇଥିଲେ ମଧ୍ୟ କଳାଧନ ଦେଶକୁ ଆସିଲାନାହିଁ । ଓଲଟା ମହାମାରୀ କରୋନା କାଳରେ ସାଧାରଣ ଜନତା ଖାଇବାକୁ ପାଉ ନ ଥିବା ବେଳେ ବହୁ ଭାରତୀୟ ସ୍ୱିସ ବ୍ୟାଙ୍କରେ ଜମାରାଶି ବଢାଇ ଚାଲିଛନ୍ତି । ୨୦୨୦ରେ ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ ଜମା ୨.୫୫ ବିଲିୟନ ସ୍ୱିସ୍ ଫ୍ରାଙ୍କ (୨୦,୭୦୦ କୋଟିରୁ ଅଧିକ ଟଙ୍କା)କୁ ବୃଦ୍ଧି ପାଇଛି। ଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ। ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗୁରୁବାର ଜାରି ବାର୍ଷିକ ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।
ରିପୋର୍ଟ ରୁ ଜଣାପଡିଛି, ଗତ ଦୁଇ ବର୍ଷ ଧରି ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ହ୍ରାସ ଘଟିଥିଲା। ୨୦୧୯ ଶେଷ ବେଳକୁ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ଓ ଭାରତୀୟ କମ୍ପାନୀର ଜମା ରାଶି ୬୬୨୫ କୋଟି ଥିଲା। ୨୦୨୦ରେ ୨୦,୭୦୦ କୋଟି ମଧ୍ୟରୁ କଷ୍ଟମ ଡିପୋଜିଟ୍ ବା ୪୦୦୦ କୋଟି ଟଙ୍କା, ଅନ୍ୟ ବ୍ୟାଙ୍କଗୁଡ଼ିକ ଜରିଆରେ ୩୧୦୦ କୋଟି ଟଙ୍କା, ଟ୍ରଷ୍ଟ ମାଧ୍ୟମରେ ୧୬.୫ କୋଟି, ବଣ୍ଡ, ସିକ୍ୟୁରିଟିଜ୍ ଓ ଅନ୍ୟାନ୍ୟ ମାଧ୍ୟମରେ ୧୩୫୦୦ କୋଟି ଟଙ୍କା ରଖାଯାଇଛି। ୧୩ ବର୍ଷ ମଧ୍ୟରେ ଏହି ରାଶି ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି।