କାଶ୍ମୀରରେ ପୁନରୁଦ୍ଧାର ହେବ ବନ୍ଦ ପଡିଥିବା ସ୍କୁଲ, ହିନ୍ଦୁ ମନ୍ଦିର

0

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ):ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାର ସେଠାରେ ବନ୍ଦ ପଡିଥିବା ହିନ୍ଦୁ ସ୍କୁଲ ଓ ମନ୍ଦିର ଗୁଡିକୁ ପୁଣି ଖୋଲିବା ପାଇଁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମିର ପଣ୍ଡିତ ମଣ୍ଡଳୀଙ୍କ ସହ ବାର୍ତ୍ତାଳାପ କରିବା ପରେ କାଶ୍ମୀରରେ ହିନ୍ଦୁ ମନ୍ଦିର ଓ ସ୍କୁଲ ଗୁଡିକର ସଂଖ୍ୟା ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ସେଠାରେ ଥିବା ହିନ୍ଦୁ ମନ୍ଦିର ଓ ସ୍କୁଲ ଗୁଡିକ ପୁଣି ଖୋଲା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଏନେଇ ବେଙ୍ଗାଲୁରୁ ଠାରେ ଗୃହ ରାଜ୍ୟମନ୍ତ୍ରୀ କିଶନ ରେଡ୍ଡୀ କହିଛନ୍ତି ଯେ,ଗତ କିଛି ବର୍ଷ ମଧ୍ୟରେ କାଶ୍ମୀରରେ ପାଖାପାଖି ୫୦ ହଜାର ମନ୍ଦିର ବନ୍ଦ କରାଯାଇଛି । ଏଥିରେ କିଛି ମନ୍ଦିର ଗୁଡିକୁ ଧ୍ୱଂସ କରାଯାଇ ମୁର୍ତ୍ତି ଗୁଡିକୁ ନଷ୍ଟ କରାଯାଇଛି । ଏଣୁ କାଶ୍ମୀରରେ ବନ୍ଦ ସ୍କୁଲ ସଂଖ୍ୟା ଆକଳନ କରି ସେଗୁଡିକୁ ପୁନର୍ବାର କାର୍ଯ୍ୟକାରୀ କରିବାକୁ ସମିତି ଗଠନ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ,ପ୍ରଧାନମନ୍ତ୍ରୀ ମୋଦି ରବିବାର ଆମେରିକାର ହ୍ୟୁଷ୍ଟନ ଠାରେ ଅନୁଷ୍ଠିତ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଯୋଗ ଦେବା ପୁର୍ବରୁ ସେଠାରେ ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କୁ ଭେଟିଥିଲେ । ଶିଖ୍ ସମୁଦାୟର ଲୋକମାନେ କରତାରପୁର କରିଡର ପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ କାଶ୍ମୀର ପଣ୍ଡିତ ମଣ୍ଡଳୀମାନେ ଧାରା ୩୭୦ ଉଚ୍ଛେଦ ନେଇ ତାଙ୍କୁ ପ୍ରଶଂସା କରିଥିଲେ।