ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ଡକାୟତି ଅଭିଯୋଗ । ଦମ୍ପତିଙ୍କୁ ତାଲା ପକାଇ ଘରେ କଳାକନା ବୁଲାଇଲା ଲୁଟେରା । ଅଧାକିଲୋ ସୁନା, ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ କଲେ ଦମ୍ପତି । ଏହି ଘଟଣା ଘଟିଛି ଚନ୍ଦକା ଥାନା ହରିପୁର ଗାଁରେ । ଘର ମାଲିକ ତଥା ଅବସରପ୍ରାପ୍ତ କିରାଣି ସତ୍ୟନାରାୟଣ ମିଶ୍ର ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିଲା ।
ଶନିବାର ରାତି ପ୍ରାୟ ୩ଟା ସମୟରେ ଲୁଟେରାମାନେ ପାଚେରି ଡେଇଁ ଘର ଭିତରେ ପଶି ଗ୍ୟାସ କଟର ସାହାଯ୍ୟରେ ଝରକା କାଟିଥିଲେ । ଘର ଭିତରକୁ ଯାଇ ସତ୍ୟନାରାୟଣ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ଘରକୁ ବାହାର ପଟରୁ ତାଲା ପକାଇ ଦେଇଥିଲେ । ଘରେ ଥିବା ଦୁଇଟି ଆଲମିରା ଲକ୍ ଭାଙ୍ଗି ସେଥିରେ ଥିବା ୧୨ଟି ସୁନା ହାର, ସୁନା ଚୁଡି, ମୁଦି, କାନଫୁଲ ଲୁଟି ନେଇଛନ୍ତି ଲୁଟେରା । ଜମି କିଣିବା ପାଇଁ ଆଲମିରାରେ ରଖିଥିବା ନଗଦ ୧୨ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି ଲୁଟେରା ।