ବାପାଙ୍କ ଅଧୁରା ସ୍ୱପ୍ନ ପୂରା କରିପାରିବେ ରୁଦ୍ର!

0

ଭୁବନେଶ୍ୱର/ରାଜେଶ ସାହୁ: ବହୁ ଆଡମ୍ବରେ ଲଘୁକ୍ରୀୟା । ବହୁ ଆଡମ୍ବରରେ ଚାଲିଥିଲା ପିପିଲି ଉପନିର୍ବାଚନ ପାଇଁ ପ୍ରଚାର । ସବୁ ଦଳରୁ ବଡବଡ ଟାଣୁଆ ନେତାଙ୍କ ପିପିଲିକୁ ଛୁଟିଥିଲା ଧାଡି । ପ୍ରଚାର ଗାଡି ଗର୍ଜନରେ ଗଗନ ପବନ ହେଉଥିଲା ପ୍ରକମ୍ପିତ । ଶାସକ ଦଳ ପିପିଲିକୁ ପୁଣି ହାତେଇବାକୁ ଅଣ୍ଟାଭିଡିଥିଲେ । କଳବଳ କୌଶଳ ଲଗାଇ ଦେଇଥିଲେ ପିପିଲିରେ ସବୁ ଉପନିର୍ବାଚନ ପରି । ହେଲେ ସବୁ ଅଙ୍କ ଭୁଲ ହେଇଗଲା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗରେ । ମଉଳି ଗଲା ବିଜୟ ସୁନିଶ୍ଚିତ ଥିବା ରୁଦ୍ରପ୍ରତାପ ମହାରଥୀଙ୍କ ବିଧାୟକ ହେବା ସ୍ୱପ୍ନ ।

ପିପିଲି ଆସନକୁ ହାତେଇବାକୁ ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ମହାଯୁଦ୍ଧରେ ସେନାପତି କରାଯାଇଥିଲା ରୁଦ୍ରଙ୍କୁ । ଦଳ ତଥା ଦଳ ସୁପ୍ରିମୋଙ୍କ ପୂର୍ଣ୍ଣ ଆଶା ଥିଲା ସେ ହି ବିଜୟ ହାସଲ କରିବେ । ଅବଶ୍ୟ ଯେତେବେଳେ ମଧ୍ୟ ନିର୍ବାଚନ ହେବ ରୁଦ୍ରହିଁ ଜିତିବେ ଏଥିରେ ଆମର ଦ୍ୱିମତ ହେବାର କିଛି ନାହିଁ । କିନ୍ତୁ ରାତିପରେ ରାତି ଗଡିଚାଲୁଥିଲେ ମଧ୍ୟ ରୁଦ୍ରଙ୍କ ବିଧାୟକ ଆସନରେ ବସିବା ସ୍ୱପ୍ନ ଅଧାରୁ ରହିଯାଉଛି । ଆସନଠୁ ମାତ୍ର କିଛି ଦୂରେ ଥିବା ବେଳେ ଏପ୍ରିଲ ୧୩ ତାରିଖରେ ମଙ୍ଗରାଜଙ୍କ ମୃତ୍ୟୁ ତାଙ୍କୁ ଦେଲା ପ୍ରଥମ ଝଟକା । ତଥାପି ସେ ଧର୍ଯ୍ୟର ସହ ବଢିଚାଲିଥିଲେ । ନିର୍ବାଚନ ବୈତରଣୀ ପାର ହେବାକୁ ତାଙ୍କ ରଥର ସାରଥୀ ସାଜିଥିଲେ ମହାପ୍ରତାପୀ ତଥା ବିଜେଡିର ତ୍ରାଣକର୍ତ୍ତା ପ୍ରଣବ ପ୍ରକାଶ ଦାସ । ପରବର୍ତ୍ତୀ ନିର୍ବାଚନ ତାରିଖ ପାଇଁ ଚଳାଇଲେ ପ୍ରସ୍ତୁତି । ଲୋକଙ୍କୁ ବାଣ୍ଟିଦେଲେ ଲକ୍ଷଲକ୍ଷ ଟଙ୍କା । ପାର୍ଟି ତରଫରୁ ଯାହା ମିଳିଥିଲା, ବାକି ବହୁ ଅର୍ଥ ମଧ୍ୟ ସେ ବାପା ପ୍ରଦୀପ ମହାରଥୀଙ୍କ କଷ୍ଟ ଅର୍ଜିତ ଅର୍ଥରୁ ପାଣି ପରି ଖର୍ଚ୍ଚ କଲେ ।

କିନ୍ତୁ ଇଦ ପାଇଁ ନିର୍ବାଚନକୁ ପୁଣି ମେ ୧୬କୁ ପରିବର୍ତ୍ତିତ କରାଗଲା । ହେଲେ କୋଭିଡ ସଂକ୍ରମଣର ଭୟାବହତାକୁ ନେଇ କଂଗ୍ରେସ ପ୍ରଥମେ ଆପତ୍ତି ଉଠାଇଲା । ଜନତାଙ୍କ ଜୀବନର ଦ୍ୱାହୀ ଦେଇ କଂଗ୍ରେସ କିଛି ଭୋଟରଙ୍କୁ ହାତେଇବାକୁ ଚେଷ୍ଟା କରିଥିବା ବେଳେ ଚତୁର ମୁଖ୍ୟମନ୍ତ୍ରୀ କଂଗ୍ରେସର ଚାଲକୁ ମାତ ଦେଇଦେଲେ । ତାଙ୍କ ଦଳୀୟ ନେତା ମନ୍ତ୍ରୀଙ୍କୁ ଉପନିର୍ବାଚନ ପ୍ରଚାର ପାଇଁ ଗହଳି, ରାଲି ନ କରିବାକୁ ନିର୍ଦ୍ଦେଶ ଦେଇ ଲୋକଙ୍କ ପ୍ରତି ସରକାର କେତେ ଚିନ୍ତିତ ତାହା ଦେଖାଇଲେ । କିନ୍ତୁ ମେ ୧୩ ପାଇଁ ଦଳୀୟ ରଥୀ ମହାରଥୀଙ୍କ ଶିବିର ପିପିଲିରେ ରହିଥିଲା । ହେଲେ କରୋନା ସଂକ୍ରମଣ ଓ କଂଗ୍ରେସର ଏକାଧିକ ନେତା ଏଥିରେ ଆକ୍ରାନ୍ତ ହେବା ପରେ କଂଗ୍ରେସ ପକ୍ଷରୁ ଉପନିର୍ବାଚନ ସ୍ଥଗିତ ରଖିବାକୁ ଦାବି ହେଲା । ଏଥିରେ ବିଜେପି ମଧ୍ୟ ମୌନ ସମ୍ମତି ଦେଖାଇଲା ଓ ରାଜ୍ୟର ସ୍ଥିତିକୁ ଦେଖି ନିର୍ବାଚନ ଅଧିକାରୀ ଏହାକୁ ସ୍ଥଗିତ ରଖିଦେଲେ ।

ଫଳରେ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ଆଗକୁ ଆସିଥିବା ମହାରଥୀ ତନୟଙ୍କ ବିଧାୟକ ଆସନରେ ଅଧିଷ୍ଠିତ ହେବାର ଆଶା ଆଶାରେ ରହିଯାଉଛି । ବିଭିନ୍ନ କାରଣରୁ ନିର୍ବାଚନ ତାରିଖରେ ପରିବର୍ତ୍ତନ ଓ ବର୍ତ୍ତମାନ ସ୍ଥିତିରେ ସ୍ଥଗିତାଦେଶକୁ ଦେଖି ଲାଗୁଛି ହୁଏତ ରୁଦ୍ରଙ୍କ କାଳ ବେଳ ଭଲ ଯାଉନାହିଁ, ଯେଉଁଥି ପାଇଁ ପିପିଲି ପରି ବିଜେଡିର ଗଡକୁ ନିଜ ଅକ୍ତିଆରକୁ ଆଣିବାକୁ ଏତେ ଡେରି ହେଉଛି ।