ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ: ତିନି ମୁଣ୍ଡିଆ ଛକରେ ଅଟକିଲେ ମହାପ୍ରଭୁ ଲିଙ୍ଗରାଜ

0

ଭୁବନେଶ୍ୱର: ଆଜି ପବିତ୍ର ଆଶୋକାଷ୍ଟମୀ ।ଏକାମ୍ରକ୍ଷେତ୍ରରୁ ମାଉସୀ ମାଆ ମନ୍ଦିର ବାହାରିଛନ୍ତି ବାବା ଲିଙ୍ଗରାଜ । ତେବେ ତିନି ମୁଣ୍ଡିଆ ଛକ ନିକଟରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ।ସୂର୍ଯ୍ୟାସ୍ତ କାରଣରୁ ମହାପ୍ରଭୁଙ୍କ ରଥକୁ ତିନି ମୁଣ୍ଡିଆ ଛକ ନିକଟରେ ଅଟକ ରଖା ଯାଇଛି । ଆସନ୍ତା କାଲି ସକାଳେ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ କରି ମହାପ୍ରଭୁଙ୍କ ରଥଟଣା କାର୍ଯ୍ୟକୁ ଆରମ୍ଭ କରାଯିବ ।

ଦିନ ପ୍ରାୟ ସାଢେ ୩ଟାରେ ଶାନ୍ତି ଶୃଙ୍ଖଳାର ସହ ଗଡିଥିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ।ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଆରମ୍ଭ ହୋଇଥିଲା ରୁକୁଣା ରଥଟଣା ।ତେବେ ମହାଆନନ୍ଦରେ ମହାପ୍ରଭୁଙ୍କ ରଥକୁ ଟାଣିଥିଲେ ଭକ୍ତଗଣ ।କରୋନା କାଳକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ରଥଯାତ୍ରା ବାରଣ କରାଯାଇଥିଲା ।କରୋନା କଟକଣା ପାଇଁ ୨୦୨୦ ମସିହାରେ ଶେଷ ମୁହୂର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ମଧ୍ୟ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । କିନ୍ତୁ ଦୀର୍ଘ ୨ ବର୍ଷ ପରେ ଭଗବାନ ଲିଙ୍ଗରାଜଙ୍କ ରୁକୁଣା ରଥକୁ ଟାଣିଥିଲେ ଭକ୍ତ।

ଅନ୍ୟପକ୍ଷେ ରଥରେ ବିଜେ କରିବା ପରେ ପ୍ରଭୁଙ୍କ ନୀତିକାନ୍ତି କରାଯାଇଥିଲା । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହୋଇଛନ୍ତି । ରଥଯାତ୍ରାର ବିଧି ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି ଖଞ୍ଜା ହେବା ସହ ଘୋଡ଼ା ଯୋଡ଼ା ହୋଇଥିଲେ । ଏହା ପରେ ରଥ ଦାଣ୍ଡରେ ମାଉସୀ ମା ଅଭିମୁଖେ ଗଡ଼ିବା ଆରମ୍ଭ କରିଛି । ପ୍ରାୟ ସାଢେ ୩ଟା ପର୍ଯ୍ୟନ୍ତ ହୋଇଥିଲା ନୀତିକାନ୍ତି । ୫ଦିନ ଧରି ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। ସେହିଭଳି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୯୦ ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।