ଆଜି ମଇଦାନରେ ଗୁରୁଙ୍କୁ ଭେଟିବେ ଋଷଭ ପନ୍ତ ।

0

ଭୁବନେଶ୍ୱର: ଚଳିତ ଆଇପିଏଲ ସଂସ୍କରଣର ଦ୍ୱତୀୟ ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ । ଆହତ ସମସ୍ୟାରେ ଦଳରୁ ବାଦ୍ ପଡିଥିବା ଶ୍ରେୟସ ଅୟରଙ୍କ ସ୍ଥାନରେ ଅଧିନାୟକ ପଦ ସମ୍ଭାଳିବେ ୱିକେଟ କିପର ଋଷଭ ପନ୍ତ । ତେବେ ଅନ୍ୟ ପକ୍ଷରେ ଅଛନ୍ତି ତାଙ୍କ ଗୁରୁ ତଥା ବିଶ୍ୱର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଆଜି ଉଭୟ ଦଳ ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଆଜିର ମ୍ୟାଚ ଏକ୍ସପେରିଏନ୍ସ ଭର୍ସସ ୟଙ୍ଗ ଟିମ୍ ବୋଲି ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି । ସି.ଏସ୍.କେ ନିକଟରେ ଅଧିକାଂଶ ଖେଳାଳୀ ଅବସରପ୍ରାପ୍ତ ହୋଇଥିବା ବେଳେ ଅନେକ ଖେଳାଳୀଙ୍କ ବୟସ ୩୦ରୁ ଅଧିକ । କିନ୍ତୁ ଦିଲ୍ଲୀରେ ଘଟଣା ସମ୍ପୂର୍ଣ ବିପରୀତ ରହିଛି । ଆଜି ଜଣଙ୍କଠୁ ବଳି ଜଣେ ଅଭିଜ୍ଞ ଖେଳାଳୀଙ୍କୁ ସାମ୍ନା କରିବ ଯୁବ ତାରକାଙ୍କୁ ନେଇ ସୁସଜ୍ଜିତ ହୋଇଥିବା ଦଳ ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ତରଫରୁ ଶିଖର ଧୱନ ଏବଂ ପୃଥ୍ୱୀ ସ ପାଳି ଆରମ୍ଭ କରିପାରନ୍ତି । ମିଡିଲ ଅର୍ଡରରେ ଷ୍ଟିଭ ସ୍ମିଥ, ଅଜିଙ୍କ୍ୟା ରାହାଣେ, ସିମ୍ରନ ହେଟମାୟାର ଏବଂ ଋଷଭ ପନ୍ତ ବ୍ୟାଟିଂ କ୍ଷେତ୍ରରେ ନିଜ ନିଜର ପ୍ରତିଭା ଦେଖାଇବେ । ସେହିପରି କ୍ରିସ ଓକ୍ସ, ମାର୍କସ ଷ୍ଟୋଇନିସ ଉଭୟ ବଲ ଏବଂ ବ୍ୟାଟରେ ଜଲୱା ଦେଖାଇବାର ପାଇ ପାରନ୍ତି ସୁଯୋଗ । ଅନ୍ୟ ପକ୍ଷରେ ବୋଲିଂ ପାର୍ଟରେ ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ଅଫ ସ୍ପିନର ରବି ଅଶ୍ୱିନ ବିପକ୍ଷ ଦଳ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିବାର ଚେଷ୍ଟା କରିବେ ।
ସେହିପରି ଚେନ୍ନାଇ ଦଳର ଖେଳାଳୀମାନଙ୍କ ମନରେ ମଧ୍ୟ ନିଶ୍ଚିତ ଆତ୍ମବିଶ୍ୱାସ ଭରପୁର ରହିଥିବ । ପୂର୍ବ ସଂସ୍କରଣରେ ନିଜର ଖରାପ ପ୍ରଦର୍ଶନକୁ ଚଳିତ ବର୍ଷ ନ ଦୋହରାଇବା ପାଇଁ ଚେଷ୍ଟା କରିବ ଧୋନୀବାହିନୀ । ଫାପ ଡୁପ୍ଲେସିଙ୍କ ସହିତ କିଏ ପାଳି ଆରମ୍ଭ କରିବେ, ଏହା ଉପରେ ସମସ୍ତଙ୍କ ନଜର । ଗତବର୍ଷ ଶେଷରେ ଚେନ୍ନାଇ ଏକ୍ସପ୍ରେସକୁ ପ୍ଲେଅଫକୁ ଯିବାର ଆଶା ସଞ୍ଚାର କରାଇଥିବା ଋତୁରାଜ ନା ଅମ୍ବାତି ରାୟୁଡୁଙ୍କୁ ମିଳିବ ସୁଯୋଗ ସେ କଥା କେବଳ କ୍ୟାପ୍ଟେନ କୁଲ ମାହିଙ୍କୁ ଜଣା । ବ୍ୟାଟିଂକ୍ରମରେ ଶକ୍ତିଶାଳୀ ମନେ ହେଉଥିବା ୟେଲୋ ଆର୍ମି ବୋଲିଂ କ୍ଷେତ୍ରରେ ଦିଲ୍ଲୀଠାରୁ ସାମାନ୍ୟ ପଛରେ ପଡିଯାଇପାରେ । ମିଡିଲ ଅର୍ଡରରେ ସୁରେଶ ରୈନା, ଅମ୍ବାତି ରାୟୁଡୁଙ୍କ ସହ ଏମ୍,ଏସ୍. ଧୋନୀ, ସାମ୍ କରନ୍, ଡ୍ୱେନ୍ ବ୍ରାଭୋ ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି ଦକ୍ଷ ଫିନିଶର ଦଳକୁ ମଜଭୁତ କରବେ । ତେବେ ଧୋନୀଙ୍କ ରୂପରେ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ଏବଂ ୱିକେଟ କିପର ଦଳ ପାଇଁ ଏକ ବଡ ପ୍ଲସ ପଏଣ୍ଟ ହେବ ।
ସଂଧ୍ୟା ୭.୩୦ରୁ ଆରମ୍ଭ ହେବ ଆଜିର ଏହି ଦମଦାର ମ୍ୟାଚ । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିବାକୁ ଚେଷ୍ଟା ଜାରି ରଖିବ । ଗୁରୁ ଏବଂ ଶିଷ୍ୟ ମଧ୍ୟରେ ହେବାକୁ ଥିବା ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା ରଖିଛନ୍ତି କୋଟି କୋଟି ଦର୍ଶକ ।