ରୁଷିଆର ମିସାଇଲ ମାଡ଼ ; ଅନ୍ଧାରରେ କିଭ୍, ପାଣି ପାଇଁ ଚାରିଆଡେ ହାହାକାର

0

କିଭ : ପୁଣି ଥରେ ୟୁକ୍ରେନ ଉପରେ ବୋମା ବର୍ଷଣ କରୁଛି ରୁଷ । ରୁଷର ଘନ ଘନ ମିସାଇଲ ମାଡ଼ରେ ଥର ହର ୟୁକ୍ରେନର କ୍ୟାପିଟାଲ୍ ସିଟି କିଭ୍। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିସାଇଲ ଆଟାକ୍ ଯୋଗୁ ୮୦ ପ୍ରତିଶତ ଅଞ୍ଚଳକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ ହୋଇଯାଇଛି।

ଫଳରେ କିଭ୍ ସହର ଏବେ ଅନ୍ଧାରରେ। ୨୪ ଘଣ୍ଟା ଭିତରେ ୟୁକ୍ରେନ ଉପରେ ରୁଷ ୫୦ଟି ମିସାଇଲ ଆକ୍ରମଣ କରିବା ସହ ବିଭିନ୍ନ ସ୍ଥାନରେ ୧୦ଟି ବଡ ଧରଣର ବିସ୍ଫୋରଣ ଘଟିଛି । ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ପୂର୍ବ ଓ ଦକ୍ଷିଣ ୟୁକ୍ରେନ । କ୍ରିିମିୟା ବ୍ରିଜ ଧ୍ୱଂସ ହେବା ପରେ ରକ୍ତମୁଖା ହୋଇଉଠିଛି ରୁଷ ।

ବ୍ଲାକ୍ ସିରେ ରୁଷର ଜାହାଜ ଉପରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ କରିଥିବା ଅଭିଯୋଗ ଆଣିବାରୁ ଦିନକ ପରେ ରୁଷ ଏଭଳି ଆକ୍ରମଣ କରିଛି। ପୂର୍ବରୁ ଦୁଇଥର ବଡ ଧରଣର ଆକ୍ରମଣ କରିବା ପରେ ସୋମବାର ସକାଳୁ ୩ୟ ଥର ପାଇଁ ଏହି ଆକ୍ରମଣ କରିଛି । ସବୁଠୁ ଚିନ୍ତାରବିଷୟ ହେଉଛି କି ଯୁଦ୍ଧ ଭିତରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବା ନେଇ ବାରମ୍ବାର ଧମକ ଦେଇ ଆସୁଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ । ଏମିତି କି ପରମାଣୁ ଆକ୍ରମଣ ପାଇଁ ଦୁଇଥର ସମରଭ୍ୟାସ ମଧ୍ୟ କରିସାରିଲେଣି ।

ତେବେ ଏହି ମିଜାଇଲ୍ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପୁରା ସହର ଥରି ଉଠିଥିଲା। କିଭ୍‌ର ପାଓ଼୍ବାର ଷ୍ଟେସନ୍ ଉପରେ ଏହି ଆକ୍ରମଣ ହୋଇଥିବାରୁ ପ୍ରାୟ ୩ ଲକ୍ଷ ୫୦ ହଜାର ଆପାର୍ଟମେଣ୍ଟକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି।