ନୂଆଦିଲ୍ଲୀ : ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର। ଏନଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରୟ ଓ ରାଧୀକା ରୟ ଇସ୍ତଫା ଦେବାର ଗୋଟିଏ ଦିନ ପରେ ରବୀଶ କୁମାର ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏନଡିଟିଭିରୁ ପ୍ରଣୟ ରୟ ଏବଂ ତାଙ୍କ ପତ୍ନୀ ରାଧିକା ରୟ ଇସ୍ତଫା ଦେଇଥିଲେ । ତେବେ ପ୍ରଣୟ ଓ ରାଧିକା ଇସ୍ତଫା ଦେବା ପରେ ଏହି ବୋର୍ଡରେ ପ୍ରବେଶ କରିଛନ୍ତି ସୁଦୀପ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗଲିଆ ଏବଂ ସେନଥିଲ ସିନିଆ ଚେଙ୍ଗଲଭରାୟଣ । ଏହି ତିନି ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛି ଆଦାନୀ ଗ୍ରୁପ୍ । ଏନଡିଟିଭି ଗ୍ରୁପ ସଭାପତି ସୁପର୍ଣ୍ଣା ସିଂ କହିଛନ୍ତି ଏନଡିଟିଭିକୁ ଅଦାନି ଅଧିଗ୍ରହଣ କରିବାପରେ କିଛି ସାମ୍ବାଦିକ କ୍ଷତିଗ୍ରସ୍ତ ହେବେ । ଏହାର ଗୋଟିଏ ବଡ ଉଦାହରଣ ହେଉଛି ରବୀଶ କୁମାରଙ୍କ ଇସ୍ତଫା ।
ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ସେ ଏନଡିଟିଭିରେ ଅନେକ ପଦପଦବୀରେ ରହିଥିଲେ । ନିଜର ନିଆରା ସାମ୍ବାଦିକତା ଶୈଳିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସରକାର ବିରୋଧୀ ଅନେକ ଶୋ’ କରି ସେ ଲୋକଲୋଚନକୁ ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ପ୍ରାଇମଟାଇମ୍ ସୋରେ ସିଧା ଟାର୍ଗେଟ୍ କରୁଥିଲେ ରବୀଶ । ଏ ଖବର ରବୀଶ କୁମାରଙ୍କ ପ୍ରଶଂସକଙ୍କୁ ବହୁତ ଦୁଃଖ ଦେଇଛି ।
ତେବେ ଆଦାନି ଗ୍ରୁପର ମିଡିଆ ନେଟୱାର୍କ ହେଉଛି ବିଶ୍ୱପ୍ରଧାନ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ । ଏସିଆର ଏକ ନମ୍ବର ଧନୀ ତଥା ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନି ଅଦାନୀ ଗ୍ରୁପ ଏନଡିଟିଭିକୁ କିଣିବା ପରେ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରଣୟ ଏବଂ ରାଧିକା ନିଷ୍ପତ୍ତି ନେଇଥିଲେ । ପ୍ରଣୟ ଓ ରାଧିକା ଇସ୍ତଫା ଦେବାପରେ ରବିଶ କୁମାରଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ସେ ଇସ୍ତଫା ଦେଇଛନ୍ତି ।