ପବିତ୍ର ଶ୍ରୀରାମ ନବମୀ: ଚାଲିଛି ଭକ୍ତ ଭଗବାନଙ୍କ ମହାମିଳନ, ଆରମ୍ଭ ରଥକାଠ ଚିରଟ ପରମ୍ପରା

0

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ । ଦୁଇ ବର୍ଷ ଧରି କରୋନା କଟକଣା କାରଣରୁ ଭଗବାନଙ୍କୁ ଏହି ଅବସରରେ ଦର୍ଶନ କରିପାରୁ ନଥିଲେ ।କିନ୍ତୁ ରାଜ୍ୟରେ କରୋନା ପ୍ରକୋପ କମିଥିବା କାରଣରୁ ଆଜି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମହା ମିଳନ ହେବ । ରାମ ନବମୀ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି ଗାଁ’ର ପୁରପଲ୍ଲୀରେ ଥିବା ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ଆରମ୍ଭ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ରାମ ମନ୍ଦିରରେ ଆଜି ସକାଳୁ ଭକ୍ତଙ୍କ ନିମନ୍ତେ ଦର୍ଶନ ଆରମ୍ଭ ହୋଇଯାଇଛି। ସକାଳ ୫ଟାରୁ ଭକ୍ତ ଧାଡି ବାନ୍ଧି ରାମଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଉଛନ୍ତି ।ସେହିଭଳି ଦିନ ୧୦ଟା ପର୍ଯ୍ୟନ୍ତ ହୋମ ଯଜ୍ଞ ଚାଲିଥିବା ସମୟରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ପାଳନ କରାଯାଇଛି ।

ଅନ୍ୟପକ୍ଷେ ଏହି ଅବସରରେ ରଥକାଠ ଚିରଟର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗିମାଳ ମହାପ୍ରସାଦ ନେଇ ଏକ ତିନି ଜଣିଆ ଦଳ କଟକ ଯାତ୍ରା କରିବେ । କଟକ ଖପୁରିଆ ସ’ ମିଲରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ ।ରଥକାଠ ତତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଦଳ କଟକରେ ପହଞ୍ଚି ଚିରଟ ପ୍ରକ୍ରିୟାର ଅନୁକୂଳ କରିବେ । ତିନିଟି ଧଉରା କାଠକୁ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।

ପବିତ୍ର ଶ୍ରୀରାମ ନବମୀ ଅବସରରେ ପୁରୀ ବେଳାଭୂମିରେ ବିରାଟ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ଏହି ବାଲୁକା କଳା ତିଆରି କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ଶ୍ରୀରାମଙ୍କ ବିଶାଳ ପ୍ରତିକୃତି ନିର୍ମାଣ କରିବା ସହ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଚିତ୍ର ମଧ୍ୟ ତିଆର କରିଛନ୍ତି । ବାଲୁକା କଳାରେ ରାମଙ୍କ ପ୍ରତିମୂର୍ତ୍ତି ଗଢି ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।