ରାମ ନବମୀରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ଶ୍ରୀମନ୍ଦିର ହଜାର ହଜାର ଭକ୍ତଙ୍କ ସମାଗମ

0

ପୁରୀ(ଜୟନ୍ତ କୁମାର ସେଠୀ): ଆଜି ପବିତ୍ର ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ରାମନବମୀ ନିତୀ । ପରମ୍ପରା ଅନୁଯାୟୀ, ଚୈତ୍ର ଶୁକ୍ଲ ନବମୀ ଦିନ ମଧ୍ୟାହ୍ନ ଧୂପ ଉଠିଲେ ଜୟବିଜୟ ଦ୍ୱାର ବନ୍ଦ ହୁଏ । ସୁଧ ସୁଆର ଭଣ୍ଡାର ଘର ଆଗରେ ପୋଛାମାରିବା ପରେ ପୂଜାପଣ୍ଡା ଆସି ଜନ୍ମମଣ୍ଡଳ କାଟନ୍ତି । ମଧ୍ୟାହ୍ନ ଧୂପ ଶେଷ ପରେ ଓ ଦକ୍ଷିଣ ଘର ଭୋଗ ଶେଷ ପରେ ରାମଚନ୍ଦ୍ର ପ୍ରତିମାଙ୍କୁ ମହାଜନେ ଭିତର ସିଂହାସନକୁ ବିଜେ କରାନ୍ତି । ମୁଦିରସ୍ତ ଧଣ୍ଡି ପ୍ରସାଦ ଲାଗି କରିବା ପରେ ପ୍ରସାଦ ଉଲାଗି ହୋଇ ରାମଚନ୍ଦ୍ର ଠାକୁରଙ୍କୁ ଆଜ୍ଞାମାଳ ପ୍ରଦାନ ପରେ ଉକ୍ତ ଜନ୍ମମଣ୍ଡଳ ଉପରେ ବିଜେ କରାଯାଏ । ଏଠାରେ ମହାଜନମାନଙ୍କ ଭିତରୁ ଦୁଇଜଣ ଦଶରଥ ଓ କୌଶଲ୍ୟା ଭାବରେ ଖଣ୍ଡୁଆ ଘୋଡ଼ାଇ ହୋଇ ଜନ୍ମବିଧି ହେବା କର୍ପୂର ଆଳତି ବନ୍ଦାପନା ପରେ ମହାସୁଆର ଗଣ୍ଡୂଷ ମସଲା ଓ କ୍ଷୀର ମଣୋହି କରାନ୍ତି ।

ପୂଜାପଣ୍ଡା ଜନ୍ମବିଧି, ଶୀତଳ ଭୋଗ ମଣୋହି କରନ୍ତି । ମହାସୁଆର ଜୟବିଜୟ ଦ୍ୱାରଠାରେ ଚାରୁଭାତ ମଣୋହି କରାନ୍ତି । ଏହାପରେ ଠାକୁର ଦକ୍ଷିଣ ଘରକୁ ବାହୁଡ଼ା ବିଜେ କରନ୍ତି ।⁠ ନବମୀ ଦିନ ଜନ୍ମୋତ୍ସବ ପରେ ରାମଲୀଳା ଉତ୍ସବ ଚାଲେ । ଚୈତ୍ରଶୁକ୍ଲ ଦଶମୀ, ଏକାଦଶୀ, ଦ୍ୱାଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିିମା, ବୈଶାଖ କୃଷ୍ଣ ପ୍ରତିପଦ ଓ ଦ୍ୱିତୀୟା ତିିଥିମାନଙ୍କରେ ଯଥାକ୍ରମେ ଯଜ୍ଞରକ୍ଷା, ସୀତାବିବାହ, ବନବାସ, ମାୟାମୃଗ ବଧ, ଲଙ୍କାପୋଡ଼ି, ସେତୁବନ୍ଧ, ରାବଣବଧ ଲୀଳା ଉତ୍ସବ ପାଳନ କରାଯାଏ । ତେବେ ପବିତ୍ର ରାମ ନବମୀ ଅଵସର ରେ ଆଜି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି।