ସୌମ୍ୟଙ୍କ ମୃତ୍ୟୁ ରହସ୍ୟରେ ପଡିଲା ପୂର୍ଣ୍ଣଚ୍ଛେଦ !!

0

ଭୁବନେଶ୍ୱର/ଶିଳାସ୍ମିତା ରାୟ: ସୌମ୍ୟଙ୍କୁ ଲୁଚାଇଦେବ କି ହାଇଦର? ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯିବ କି? ଆଜି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଏମିତି ଅନୁଭବ ହେଉଛି ରାଜ୍ୟବାସୀଙ୍କୁ  ।  ହାଇଦରରକୁ ଚୌଦ୍ୱାରରୁ ବାରିପଦା ନିଆଯାଉଥିବା ବେଳେ ଏନକାଉଣ୍ଟର ହୋଇଥିଲା । ବାରିପଦା ନେବା ବେଳେ ତା ସହ ଜଣେ ଇନସ୍ପେକ୍ଟର, ଜଣେ ଏସ୍ଆଇ ଏବଂ ଏକ ସେକ୍ଟନ ଫୋର୍ସ ଥିଲେ । ରାସ୍ତାରେ ତାକୁ ପରିସ୍ରା ଲାଗୁଥିବା କହି ପୁଲିସ ଭ୍ୟାନକୁ ରଖିବାକୁ ସେ ବାଧ୍ୟ କରିଥିଲା । ସିମୁଳିଆ ନିକଟରେ ଗାଡି ରଖାଯାଇଥିଲା । ଗାଡିରୁ ସେ ଓହ୍ଲାଇବା ବେଳେ ଜଣେ ପୁଲିସ କର୍ମଚାରୀଙ୍କଠାରୁ ବନ୍ଧୁକ ଛଡାଇ ନେଇ ଖସି ଯିବାକୁ ଚେଷ୍ଟା କରିଥିଲା । ତେଣୁ ବାଧ୍ୟହୋଇ ପୁଲିସ ତା ଉପରକୁ ଗୁଳି ଚଳାଥିଲା ଓ ଗୁଳି ତାର ପେଟରେ ବାଜିଥିବା କୁହାଯାଇଥିଲା ।

କିନ୍ତୁ ଘଟଣାଟିକୁ ଯେମିତି ଦର୍ଶାଯାଉଛି, ତାହା ସେତେ ସରଳ ଥିବା ପରି ମନେ ହେଉନାହିଁ । ଅନ୍ୟ ପଟେ ଏହାକୁ ମଧ୍ୟ ଗ୍ରହଣ କରି ପାରୁ ନାହାନ୍ତି ପୂର୍ବତନ ଆଇପିଏସ ଅଫିସର । ଏସମ୍ପର୍କରେ ପୂର୍ବତନ ଆଇପିଏସ ସଞ୍ଜିବ ମାରିକ କହିଛନ୍ତି, ଏହା ଏକ ସୁଚିନ୍ତିତ କାର୍ଯ୍ୟ । ହୁଏତ ତାକୁ ଖସି ଯିବାକୁ ସୁଯୋଗ ଦିଆଯାଇଛି । ପୁଲିସ ପକ୍ଷରୁ କୋହଳ ମନୋଭାବ ପୋଷଣ କରାଯାଇଛି । ସେ ଆହୁରି ଯୁକ୍ତି ବାଢିଛନ୍ତି, ହାଇଦର ପରି ଜଣେ କୁଖ୍ୟାତ ଅପରାଧି ଯିଏ ନିକଟରେ ପୁଲିସ ବଳୟକୁ ଭେଦି ଏସସିବି ମେଡିକାଲରୁ ଖସିଯାଇଥିଲା, ତାକୁ ନିଆଯିବା ବେଳେ ଏସ୍କର୍ଟ ସହ ୪ ଜଣ ସଶସ୍ତ୍ର ପୁଲିସ କର୍ମଚାରୀ ରହିବା କଥା । ତାର ହାତରେ ହ୍ୟାଣ୍ଡକପ ପଡିବାର ନିୟମ ରହିଛି । ଏତେ ସବୁ ସତ୍ତେ୍ୱ ହାଇଦର ଖସିଯିବାକୁ ଚେଷ୍ଟା କରିବାକୁ ଗ୍ରହଣ କରି ପାରି ନାହାନ୍ତି ମାରିକ ।

ବର୍ତ୍ତମାନ ପରିସ୍ଥିତିରେ ମାରିକଙ୍କ ଯୁକ୍ତିର ବଳିଷ୍ଠତା ମଧ୍ୟ ରହିଛି । ହୁୁଏତ ସରକାର ତଥା ପ୍ରଶାସନ ହାଇଦରର ଏନକାଉଣ୍ଟର ପାଇଁ ବ୍ଲୁପ୍ରିିଣ୍ଟ ପ୍ରସ୍ତୁତ କରିଥିଲେ । କାରଣ, ସମ୍ପ୍ରତି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଚାଞ୍ଜଲ୍ୟ ଖେଳାଇ ଚାଲିଛି । ଜୁଲାଇ ୧୩ ତାରିଖରେ ସୌମ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ଗଣମାଧ୍ୟମର ଶୀର୍ଷ ଖବର ତାଲିକାରେ ଏହି ଘଟଣା ରହିଛି । ପ୍ରଥମେ ଡିଏଫଓଙ୍କୁ ଘଟଣାର ଅଭିଯୁକ୍ତ ଭାବେ ଉପସ୍ଥାପନ କରାଯାଇଥିବା ବେଳେ ଆଇଆଇସି ମମତା ପଣ୍ଡାକୁ ଘଟଣାରେ ଟଣାଗଲା । ଏପରି କି ସୌମ୍ୟ ମୃତ୍ୟୁ ଘଟଣାରେ ଜଙ୍ଗଲମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମ୍ପୃକ୍ତି ଥିବା କୁହାଗଲାଣି । ତେଣୁ ଏହି ଘଟଣା ଉପରରୁ ଗଣମାଧ୍ୟମର ନଜର ହଟାଇବାକୁ ହାଇଦରର ଏନକାଉଣ୍ଟର କରାଯାଇଥିବା ସନ୍ଦେହ କରାଯାଉଛି।

କାରଣ ହାଇଦର ପରି ରଜ୍ୟର ସବୁଠାରୁ ଦୁର୍ଦ୍ଦାନ୍ତ ଅପରାଧିର ଏନକାଉଣ୍ଟର ପରେ ମିଡିଆଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଦୃଷ୍ଟି ସୌମ୍ୟଙ୍କ ଘଟଣାରୁ ହଟିବ । ଫଳରେ ପୁଲିସ ପ୍ରଶାସନ ତା ଇଛା ଅନୁଯାୟୀ ତଦନ୍ତ କରି ରିପୋର୍ଟ ଉପସ୍ଥାପନ କରି ପାରିବ । ଏପରି କହିବାର ମଧ୍ୟ କାରଣ ରହିଛି । ଗତକାଲି ପୁଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ ଡିଏଫଓ ସଂଗ୍ରାମଙ୍କୁ ଜେରା କରିଥିଲା । ଜେରା ପରେ ଗଜପତି ଏସପି ତପନ ପଟ୍ଟନାୟକ ସମସ୍ତ ଅଭିଯୁକ୍ତଙ୍କୁ କ୍ଲିନ ଚିଟ ଦେଇଦେଇଥିଲେ । କିନ୍ତୁ ଏସପିଙ୍କ ତରବରିଆ କ୍ଲିନ ଚିଟ ପ୍ରଦାନକୁ ଗଣମାଧ୍ୟମରେ ପୋଷ୍ଟମର୍ଟମ କରାଗଲା । ଏହା ପରେ ଆଜି ତାଙ୍କ ସ୍ୱରରେ ଆସିଛି ପରିବର୍ତ୍ତନ । ଅର୍ଥାତ୍ ସୌମ୍ୟଙ୍କ ଘଟଣା ଏବେ ସରକାର ପାଇଁ ତଣ୍ଟିରେ କଣ୍ଟା ପରି ହୋଇଛି । ତେଣୁ ଏହି ଘଟଣାରୁ ନଜର ହଟାଇବାକୁ ହାଇଦରକୁ ବଳିକା ବକରା କରାଯାଇଛି ବୋଲି ଚର୍ଚ୍ଚା ହେଲାଣି ।