କଲମ୍ବୋ : କଲମ୍ବୋରର ଆର ପ୍ରେମାଦାସା ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଛି ୪ର୍ଥ ଏକଦିବସୀୟ ମ୍ୟାଚ । ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ୱିକେଟ ହରାଇ କରିଥିଲା ୨୫୮ ରନ୍ । ଏଥିରେ ଚାରିଥ ଆସଲଙ୍କାଙ୍କ ଶତକୀୟ ଇନିଂସ ବେଶ ଆକର୍ଷଣୀୟ ହୋଇଥିଲା । ସେ ୧୦୬ଟି ବଲର ସମ୍ମୁଖିନ ହୋଇ ଗୋଟିଏ ଛକା ଏବଂ ୧୦ଟି ଚୌକା ସହାୟତାରେ ସର୍ବାଧିକ ୧୧୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ଡିସିଲଭା (୬୦), ୱାନିନ୍ଦୁ ହାସରଙ୍ଗା (୨୧) ରନ ବଳରେ ଶ୍ରୀଲଙ୍କା ୨୫୮ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ମାଥ୍ୟୁ, କମିନ୍ସ, ମିଚେଲ ଦୁଇଟି ଲେଖାଏଁ ୱିକେଟ ଏବଂ ମାକ୍ସୱେଲ ଗୋଟିଏ ୱିକେଟ ହାସଲ କରିଥିଲେ ।
ତେବେ ୨୫୯ ରନର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ସୀମିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୫୪ ରନ କରିଥିଲା । ଦଳ ପକ୍ଷରୁ ଓପନର ଡେଭିଡ ୱାର୍ଣ୍ଣର ୧୨ଟି ଚୌକା ସହାୟତାରେ ୯୯ ରନ୍ କରିଥିଲେ ମଧ୍ୟ ଦଳର ବିଜୟ ସମ୍ଭବ ହୋଇନଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ୟାଟ କମିନ୍ସ(୩୫), ଟ୍ରାଭିସ ହେଡ(୨୭), ମିଚେଲ ମାର୍ଶ(୨୬), କାମେରୁନ ଗ୍ରୀନ(୧୩), ମାଥ୍ୟୁ କୁନେମାନ(୧୫), ଆଲେକ୍ସ କ୍ୟାରି(୧୯) ରନ କରିବାରେ ସଫଳ ହୋଇଥିଲେ । ତଥାପି ୨୫୪ ରନ୍ କରି ମାତ୍ର ୪ ରନରେ ପରାଜୟ ବରଣ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ବୋଲିଂରେ ଚାମିକା କରୁଣାରତ୍ନେ, ଧନଞ୍ଜୟ ଡିସିଲଭା, ଜେଫ୍ରି ଦୁଇଟି ଲେଖାଏ ଏବଂ ମହେଶ, ହାସରଙ୍ଗା, ଡୁନିଥ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଶ୍ରୀଲଙ୍କା ଖେଳାଳି ଚାରିଥ ଆଶଲଙ୍କା ଶତକୀୟ ଇନିଂସ ସହିତ ଗୋଟିଏ ୱିକେଟ ଅକ୍ତିଆର କରିଥିବାରୁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା ।