୨୦ ସାମ୍ବାଦିକଙ୍କୁ ଆପାୟିତ୍ତ କରିବା କାରଣ କଣ?

0

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ଲଗାଣ ବର୍ଷାରେ ଜଳବନ୍ଦୀ । ସ୍ମାର୍ଟ ସିଟିର ଅଧିକାଂଶ ସ୍ଥାନରେ ଲୋକଙ୍କ ଘରେ ପାଣି । ଘରେ ଆସବାବପତ୍ର ଭାସୁଛି ପାଣିରେ । ରାସ୍ତାଘାଟରେ ପାଣି । ଏହାକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ସ୍ମାର୍ଟ ସିଟି ଭୁବନେଶ୍ୱରର ୱାଟର ଲଗିଂ ପାଇଁ ସହରର ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ । ଏଥିପାଇଁ ସେ ସରକାରୀ ଉଦାଶୀନତା ନା ଅପାରଗତା ଦାୟୀ ବୋଲି ପ୍ରଶ୍ନ କଲେ । ଏହା ପରେ ବିଜେଡି ପକ୍ଷରୁ ପ୍ରଥମେ ବାହାରି ଆସିଥିଲେ ଓଟିଡିସି ଅଧ୍ୟକ୍ଷା ତଥା ଦଳର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବିଏମସି କମିଶନର ସମୟର ସାଂସଦଙ୍କ କାର୍ଯ୍ୟକାଳ ଉଲ୍ଲେଖ କରିଥିଲେ ଶ୍ରୀମୟୀ । ଷଡଙ୍ଗୀଙ୍କ ଉନ୍ନତ ମସ୍ତିଷ୍କରୁ ଉତ୍ପନ୍ନ କାର୍ଯ୍ୟ ପାଇଁ ରାଜଧାନୀବାସୀ ସମସ୍ୟା ଭୋଗୁଥିବା କହିଥିଲେ । ଶ୍ରୀମୟୀଙ୍କ ଏତାଦୃଶ କାର୍ଯ୍ୟରୁ ତାଙ୍କ ଉଚ୍ଚାଭିଳାଷାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ଶ୍ରୀମୟୀଙ୍କ ଆଶ୍ରା କରି ଦଳ ପଶ୍ଚିମଓଡିଶା ପଞ୍ଚାୟତ ଓ ପୌର ନିର୍ବାଚନ ବୈତରଣୀ ପାର କରିବାକୁ ଚାହୁଁଥିବା ବେଳେ ତାଙ୍କ ନଜର ମେୟର ପଦ ଉପରେ ଥିବା କୁହାଯାଉଛି ।
କାରଣ ପଶ୍ଚିମ ଓଡିଶାର ଗଣପର୍ବ ପାଇଁ ରାଜଧାନୀରେ ହୋଡିଂ ଲାଗିଥିଲା । ତେବେ ଚଳିତ ବର୍ଷ ପ୍ରଥମ କରି ଓଟିଡିସି ପକ୍ଷରୁ ବିଭିନ୍ନ ସ୍ଥାନରେ ବଡବଡ ହୋଡିଂ ଲାଗିଲା । ଏହା ପଛରେ ଶ୍ରୀମୟୀଙ୍କୁ ଆଗକୁ ଆଣିବାକୁ ଦଳର ବରିଷ୍ଠଙ୍କ ପ୍ରୟାସ ବୋଲି ଶୁଣିବାକୁ ମିଳିଛି । କାରଣ, ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ପଶ୍ଚିମ ଓଡିଶାରେ ବିଜେଡି ବଦଳରେ ବିଜେପିର ସିକ୍କା ଚଳେ । ବିଜେପିକୁ ମାତ ଦେବାକୁ ବିଜେଡି ଶ୍ରୀମୟୀଙ୍କୁ ପଶ୍ଚିମ ଓଡିଶାରେ ଦଳର ଏକ ଆକର୍ଷଣୀୟ ଓ ଦମଦାର ଏଣ୍ଟ୍ରି ଦେବାକୁ ଚାହୁଁଛି ।

ତେଣୁ ପଶ୍ଚିମଓଡିଶାର ହରିଶଙ୍କର ଓ ନୃସିଂହନାଥ ପୀଠ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏହି ବୈଠକରେ ବିଜେଡିର ବିଧାୟକ ନଥିଲେ, କିନ୍ତୁ ଥିଲେ ଶ୍ରୀମୟୀ । ଏହା ପରେ ମୁଖ୍ୟମନ୍ତ୍ରୀ ଓଟିଡିସି ପରିଚାଳିତ ଓଡିଆ ବ୍ୟଞ୍ଜନର ରେଷ୍ଟୁରାଣ୍ଟ ନିମନ୍ତ୍ରଣକୁ ଉଦ୍ଘାଟନ କଲେ । କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ପଛ କରି ଶ୍ରୀମୟୀଙ୍କୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିଆସୁଛନ୍ତି କରୋନା ପରଠାରୁ । କିନ୍ତୁ ଶ୍ରୀମୟୀଙ୍କ କାର୍ଯ୍ୟକ୍ରମରେ ସଶରୀରେ ଉପସ୍ଥିତ ହେଉଥିବା ଦେଖିବାକୁ ମିଳିଛି । ଏଥିରୁ ଦଳରେ ଶ୍ରୀମୟୀଙ୍କ ପାୱାର ବୃଦ୍ଧି ହୋଇଥିବାକୁ ନେଇ ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ମଧ୍ୟ ଟୁପୁରଟାପୁର ଚାଲିଛି ।
ସେହିପରି ନିମୟନ୍ତ୍ର ରେଷ୍ଟୁରାଣ୍ଟ ଉଦଘାଟନ ପରେ ସେଥିରେ ଖାଦ୍ୟ ଓ ପରିଚାଳନାଗତ ତ୍ରୁଟିକୁ ନେଇ ବୁଦ୍ଧିଜୀବୀ ତଥା ସାଧାରଣ ଲୋକଙ୍କଠାରୁ ମତ ପ୍ରକାଶ ପାଇଲା । ନିମନ୍ତ୍ରଣରେ ଥିବା ଦୋଷ ତ୍ରୁଟି ବାହାରକୁ ଆସିବା ଦେଖି ଶ୍ରୀମୟୀ ୨୦ ଜଣ ସାମ୍ବାଦିକଙ୍କୁ ଆମନ୍ତ୍ରଣ କରି ଆପାୟିତ କରିଥିଲେ । ଏହି ଆପାୟିତ ପଛରେ କାରଣ କଣ? କଣ ନିମନ୍ତ୍ରଣର ଦୋଷ ତ୍ରୁଟି ସମ୍ପର୍କରେ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଏହି ଆୟୋଜନ ନୁହେଁ?