ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ଦେଶରେ ଟୀକାକରଣ ଆରମ୍ଭ ନେଇ କେନ୍ଦ୍ରରୁ ସୂଚନା ମିଳିବା ପରେ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ସୂଚନା ଦେଇ କହିଛନ୍ତି, ରାଜ୍ୟରେ କରୋନା ଟୀକା ପହଞ୍ଚିବା ପୂର୍ବରୁ ସରକାରୀ ସ୍ତରରେ ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟରେ ୨ଟି ପର୍ୟ୍ୟାୟରେ ମେଡିକାଲ କଲେଜ, ଜିଲ୍ଲା ସ୍ତରୀୟ ହସ୍ପିଟାଲ ଓ ପିଏଚସି, ସିଏଚସିରେ ଡ୍ରାଏ ରନ୍ ଶେଷ ହୋଇଛି। ରାଜ୍ୟରେ କରୋନା ଟିକା ପହଞ୍ଚିବା ମାତ୍ରେ ସେଗୁଡିକୁ ଆବଶ୍ୟକ ତାପମାତ୍ରା ମଧ୍ୟରେ ରଖିବାକୁ ଶୀତଳଭଣ୍ଡାରଗୁଡିକରେ ସ୍ଥାନ ଖାଲି ରଖାଯାଇଛି। କୋଭାକ୍ସିନ୍ ଟୀକା ରାଜ୍ୟକୁ ପହଞ୍ଚିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଜଣାଇ ନଥିବାରୁ ଟୀକା ପହଞ୍ଚିଲେ ବା ସୂଚନା ମିଳିଲେ ରାଜ୍ୟବାସୀଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ।
ସେପଟେ ଆସନ୍ତା ୧୬ ତାରିଖରୁ ଦେଶରେ ଟୀକାକରଣ ଆରମ୍ଭ ହେବାକୁ ଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଥମେ ଟୀକା ଦିଆଯିବ। ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ପ୍ରାୟ ୩ କୋଟି । ଏହା ସହ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଥମ ପର୍ୟ୍ୟାୟରେ ଟୀକା ଦିଆଯିବ ।