ରାଜ୍ୟ ପାଇବ ନବୀନ ସରକାରର ନୂଆ ଉପମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ପିପିଲି ନିର୍ବାଚନ ସରୁସରୁ ରାଜ୍ୟ ପାଇବ ତାର ଉପମୁଖ୍ୟମନ୍ତ୍ରୀ । ନବୀନ ସରକାରର ପ୍ରଥମ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିବେ ରାଜ୍ୟବାସୀ । ଅକ୍ଟୋବର ୩ରେ ପ୍ରକାଶ ପାଇବ ପିପିଲି ଉପନିର୍ବାଚନ ଫଳାଫଳ ଓ ଅକ୍ଟୋବର ୧୨ରୁ ଆରମ୍ଭ ହେବ ଜଗଜ୍ଜନନୀ ମା ଦୁର୍ଗାଙ୍କ ପୂଜା । ହୁଏତ ଏହି ମଧ୍ୟବର୍ତ୍ତୀ ସମୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ମୁହୂର୍ତ୍ତରେ ତାଙ୍କ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ । ଏମିତି କିଛି ତଥ୍ୟ ଅନ୍ଦର ମହଲରୁ ଲିକ ହୋଇଛି ।

ଦୀର୍ଘ ଦିନରୁ ବିଜେଡି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହୋଇ ଆସୁଛି । କିନ୍ତୁ ତାହା ବିଭିନ୍ନ କାରଣରୁ ସମ୍ଭବ ହୋଇପାରିନାହିଁ । ତେବେ ଆମ ନିକଟରେ ଯେତିକି ତଥ୍ୟ ରହିଛି ଅକ୍ଟୋବର ମାସରେ ଉପନିର୍ବାଚନ ପରେ ହିଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ଏଥିରେ ଅନେକ ନିଜ ଦକ୍ଷତା ପ୍ରତିପାଦନରେ ବିଫଳ ହୋଇଥିବାରୁ ବାଦ ପାଇବାକୁ ଯାଉଥିବା ବେଳେ ଅନେକ ବାଦ ପଡିବେ ବିଭିନ୍ନ ବିବାଦକୁ ନେଇ । ଏହାକୁ ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ସରିଛି । ତେବେ ସବୁଠାରୁ ନୂତନ ପ୍ରସଙ୍ଗଟି ଏହି ମନ୍ତ୍ରୀମଣ୍ଡଳକୁ ନେଇ ଯାହା ଦେଖିବାକୁ ମିଳିବ ତାହା ହେବ ଓଡିଶାର ଉପମୁଖ୍ୟମନ୍ତ୍ରୀ । ଦୀର୍ଘ ୨୧ ବର୍ଷ ଶାସନ କାଳରେ ଉପମୁଖ୍ୟମନ୍ତ୍ରୀ ପଦ କିଛି ନାହିଁ । କିନ୍ତୁ ଏବେ ଏହି ପଦକୁ ନେଇ ହେବ ବଡ ଘୋଷଣା । ଉପମୁଖ୍ୟମନ୍ତ୍ରୀ ଭାବେ ବିଜେଡିର ଦ୍ୱିତୀୟ ସର୍ବଶକ୍ତିଶାଳୀ ନେତା ତଥା ବିଧାୟକଙ୍କୁ ଦେଖିବାକୁ ହେବ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ବା ବବି ଦାଶଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ କରିବେ ସୁପ୍ରିମୋ ।

ଅବଶ୍ୟ ପୂର୍ବରୁ ମଧ୍ୟ ଆମେ କହିଛୁ ବବି ହେବେ ଉପମୁଖ୍ୟମନ୍ତ୍ରୀ । ସ୍ୱଚ୍ଛତା ରକ୍ଷା କରିବାକୁ ହେଉ ଅବା ଅନ୍ୟ କୌଣସି ଭୟ କାରଣରୁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ଏହି ପଦଟିକୁ ହଟାଇଦେଇଥିଲେ । କିନ୍ତୁ ଏବେ ସେହି ପଦର ଆବଶ୍ୟକତା ଥିବା ମନେ କରୁଛନ୍ତି । ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ସୁପ୍ରିମୋ ତାଙ୍କ ସର୍ବକାଳୀନ ବିଶ୍ୱସ୍ତ ତଥା ଏକାନ୍ତ ଅନୁଗାମୀ କୁହାଯାଉଥିବା ବବିଙ୍କୁ ହିଁ ଆସିନ୍ନ କରିବାକୁ ଯାଉଛନ୍ତି । ନବୀନ ସରକାରର ଏହି ନୂତନ ସୃଷ୍ଟ ପଦବୀକୁ ନେଇ ଅନେକ ଅସନ୍ତୁଷ୍ଟ । ଅନ୍ୟପଟେ ନିରନ୍ତର ଓ ନିରବଚ୍ଛିନ ପରିଶ୍ରମର ଫଳ ବବି ପାଇବେ ବୋଲି କୁହନ୍ତି ଅନେକ । ୨୦୦୮ରେ ପିତା ଅଶୋକ ଦାଶଙ୍କ ବିୟୋଗ ପରେ ବବି ବିଜେଡିରେ ସାମିଲ ହୋଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷ ଧରି ସେ ଦଳ ତଥା ଦଳର ସୁପମୋଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ।

ଅଶୋକ ଦାଶଙ୍କ ଜୀବଦଶାରେ ସେ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ହୋଇଥିଲେ ମଧ୍ୟ ବିଜେଡିରେ ସାମିଲ ହୋଇନଥିଲେ । କିନ୍ତୁ ତାଙ୍କ ତିରୋଧାନ ପରେ ବବି ୨୦୦୯ରେ ଯୋଗଦେଇଥିଲେ ବିଜେଡିରେ । ବିଜେଡି ପ୍ରତି ଅଶୋକଙ୍କ ମନରେ ଥିବା ବିଦ୍ୱେଷ ଭାବକୁ ନେଇ ଦଳର ବହୁ ବରିଷ୍ଠ ଦଳରେ ବବିଙ୍କ ସାମିଲକୁ ସହ୍ୟ କରି ପାରିନଥିଲେ । ବବି ଦଳ ପାଇଁ ଘାତକ ସାବ୍ୟସ୍ତ ହେବେ ବୋଲି ଅସହିଷ୍ଣୁ ବରିଷ୍ଠମାନେ ବଦ୍ଧପରିକର ଥିଲେ । କିନ୍ତୁ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଲେ ବବି ନିଜ ଦକ୍ଷତା ଓ ସେବା ବଳରେ ।

ବବିଙ୍କ ନିକଟରେ ସର୍ବଦା ଦଳ ତଥା ସଂଗଠନ ଆଗରେ । ସେ ପ୍ୟାରୀ ମହାପାତ୍ରଙ୍କ ଦଳବିରୋଧୀ କାର୍ଯ୍ୟକ୍ରମ ହେଉ ଅବା ଦଳ ପାଇଁ ବିଭିନ୍ନ ଘଡିସନ୍ଧି ମୁହୂର୍ତ୍ତ, ଚଟ୍ଟାଣପରି ବବି ଦୃଢତାର ସହ ପରିଚାଳନା କରନ୍ତି ପରିସ୍ଥିତିକୁ ଓ ଦଳକୁ ସୁରକ୍ଷିତ ରଖିଆସିଛନ୍ତି । ଯେତେବେଳେ ଦଳ ଭିତରେ ସଦସ୍ୟଙ୍କ ମଧ୍ୟରେ କୌଣସି ମତାନ୍ତର ବା ମନାନ୍ତର ହୁଏ ମୁଖିଆ ଏସମ୍ପର୍କରେ ଜାଣିବା ପୂର୍ବରୁ ଏହାର ସମାଧାନ କରିନିଅନ୍ତି ବବି । ଏହା ବ୍ୟତୀତ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସଂଗଠିତ ହୋଇଥିବା ଦୁଇଟି ବିଧାନସଭା ନିର୍ବାଚନ ଓ ପଦ୍ମପୁର, ବାଲେଶ୍ୱର, ତିର୍ତ୍ତୋଲ, ପାଟକୁରା ପରି ଉପନିର୍ବାଚନରେ ଦଳ ବିଜୟର ସମସ୍ତ ଭାର ସୁପ୍ରିମୋ ଦେଇଆସିଛନ୍ତି ବବିଙ୍କ କାନ୍ଧରେ । ସେ ମଧ୍ୟ ନବୀନଙ୍କ ଭରସାରେ ସଦାସର୍ବଦା ସଫଳତାର ସହ ବିଜୟ ହାସଲ କରିଛନ୍ତି ।

ଖାଲି ରାଜନୈତିକ ପ୍ରେକ୍ଷାପଟ ନୁହେଁ, ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ରାଜ୍ୟରେ ଅନ୍ୟ ନେତୃତ୍ୱଙ୍କ ମଧ୍ୟରେ ବବି ଶୀର୍ଷରେ ରହି ଆସିଛନ୍ତି । ସେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତିକରଣ ହେଉ ଅବା ଲୋକଙ୍କ ସୁଖ ଶାନ୍ତି, ସର୍ବଦା ଏସବୁର ଟିକିନିକ ଖବର ରଖନ୍ତି ବବି । ବନ୍ୟାରେ ଜିଲ୍ଲାବାସୀଙ୍କ ଦୁର୍ଦ୍ଦଶା କାଳରେ ବବି ଦିନରାତି ଏକ କରି ବନ୍ୟା ବିପନ୍ନଙ୍କ ସହ ଠିଆହୋଇଛନ୍ତି । ଜିଲ୍ଲାରେ ଅତ୍ୟାଧୁନିକ ମେଡିକାଲ ସ୍ଥାପନ ପାଇଁ ହେଉ ଅବା କୁସୁମା ପୋଖରୀର ଉନ୍ନତିକରଣ ହେଉ ସବୁକ୍ଷେତ୍ରରେ ତାଙ୍କ ବ୍ୟକ୍ତିଗତ ଉଦ୍ୟମ ପ୍ରଶଂସନୀୟ ହୋଇ ରହିଛି । ତେଣୁ ଏପରି ବ୍ୟକ୍ତିଙ୍କୁ ଉପମୁଖ୍ୟମନ୍ତ୍ରୀ ରୂପେ ପାଇବା ରାଜ୍ୟବାସୀଙ୍କ ପାଇଁ କଲ୍ୟାଣକାରୀ ହେବ ନିଶ୍ଚିତ ।