ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା ଦାସ । ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଶପଥ ନେଇଛନ୍ତି ମହାନଗର ନିଗମର ପ୍ରଥମ ମହିଳା ମେୟର । ତାଙ୍କ ସହ ନବନିର୍ବାଚିତ ୬୭ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।ତେବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ ସୁଲୋଚନା ଦାସ ।

ତେବେ ମେୟର ଭାବେ ଶପଥ ନେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ସୁଲୋଚନା ଦାସ । ତାଙ୍କୁ ମେୟର ଭାବେ ବାଛିବା ସେ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ସମସ୍ତେ ମିଳିମିଶି କାମ କରିବା । ଭୁବନେଶ୍ୱରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବ । ବିକାଶ ଧାରାକୁ ଆଗକୁ ନେବାକୁ ସଦା ସର୍ବଦା ପ୍ରୟାସ କରାଯିବ । ଭୁବନେଶ୍ବରରେ ଅନେକ ଐତିହାସିକ କିର୍ତ୍ତୀରାଜି ରହିଛି । ସେଗୁଡିକର କିଭଳି ରକ୍ଷଣବେକ୍ଷଣ କରିହେବ ସେନେଇ କାମ କରିବୁ । ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିକାଶ ନେଇ ଯେଉଁ ପଦକ୍ଷେପ ନେଇଛନ୍ତି । ତାକୁ ଗୁରୁତ୍ବ ଦେଇ ସବୁବେଳେ କାମ କରିବୁ । ଲୋକଙ୍କ ପାଇଁ ସର୍ବଦା କାମ କରିବୁ ।

ଅନ୍ୟପକ୍ଷେ, ସେବାଗୁଡିକୁ ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ। ରାଜଧାନୀ ଭୁବନେଶ୍ୱରକୁ ନମ୍ବର-୧ ସିଟିରେ ପରିଣତ କରିବା ଆମର ଲକ୍ଷ୍ୟ । ସ୍ୱଚ୍ଛ, ସୁନ୍ଦର ଓ ବିକାଶିତ ଭୁବନେଶ୍ୱରରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ସୁଲୋଚନା ଦାସ । ବିଜେଡିରେ ଯୋଗ ଦେବା ପୂର୍ବରୁ କଂଗ୍ରେସରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସୁଲୋଚନା ଦାସ । ନିଜର ଦୃଢ ସାଙ୍ଗଠନିକ ଦକ୍ଷତା ଲାଗି ରାଜ୍ୟ ସରକାର ତାଙ୍କୁ ଭିନ୍ନକ୍ଷମ କମିଶନର ଭାବେ ଦାୟିତ୍ୱ ଦେଇଥିଲେ । କିନ୍ତୁ ଏବେ ସେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ତରଫରୁ ମେୟର ଭାବେ ପ୍ରାର୍ଥୀ ହୋଇ ନିର୍ବାଚନରେ ବିଜୟୀ ହୋଇଛନ୍ତି । ନିର୍ବାଚନୀ ମଇଦାନରେ ସୁଲୋଚନା ଦାସ ମୋଟ ୧ ଲକ୍ଷ ୭୪ ହଜାର ୪୮୭ ଖଣ୍ଡ ଭୋଟ ହାସଲ କରି ବିଜେପି ପ୍ରାର୍ଥୀ ସୁନିତି ମୁଣ୍ଡଙ୍କୁ ୬୧ ହଜାର ୮୭ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ ।