ଭୁବନେଶ୍ୱର :ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣାରେ ଉଠିଛି ପରଦା । ସ୍ୱିଟିଙ୍କୁ ପୁରୁଷବନ୍ଧୁଙ୍କ ସହ ପଶ୍ଚିମବଙ୍ଗରୁ ଠାବ କରାଯାଇଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଲା ଜିଆରିପି । ବୁଧବାର ଦିନ ସ୍ୱିଟି ଜନଶତାବ୍ଦୀ ଏକ୍ସପ୍ରେସ୍ ଯୋଗେ କୋଲାକାତାରୁ ଭୁବନେଶ୍ଵର ଆସିଥିଲେ । ରାତି ପ୍ରାୟ ୮ଟାରେ ସେ ଭୁବନେଶ୍ଵର ରେଳଷ୍ଟେସନରେ ଓହ୍ଲାଇଥିଲେ । ପ୍ଲାଟଫର୍ମ ୬ରେ ଥାଇ ସେ ମା’ଙ୍କୁ ଫୋନ୍ କରି ଭୁବନେଶ୍ଵରରେ ପହଞ୍ଚିବା ଜଣାଇଥିଲେ ।ପ୍ରାୟ ଅଧ ଘଣ୍ଟା ପରେ ସେ ହଷ୍ଟେଲରେ ପହଞ୍ଚିଲେଣି କି ନାହିଁ ବୁଝିବା ପାଇଁ ମା’ ତାଙ୍କୁ ଫୋନ୍ କରିଥିଲେ । ହେଲେ ଫୋନ୍ ସୁଇଚ ଅଫ୍ ଥିଲା । ପରିବାର ଲୋକେ ଆଶଙ୍କା କରି ସ୍ୱିଟିଙ୍କ ବାପା ରାଜଧାନୀରେ ରହୁଥିବା ବନ୍ଧୁ ସୁରେଶ ପଣ୍ଡାକୁ ଘଟଣା ବିଷୟରେ କହିଥିଲେ । ସୁରେଶ ଭୁବନେଶ୍ଵର ରେଳବାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ପ୍ଲାଟଫର୍ମରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ପରେ ପରେ ସେମାନଙ୍କୁ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା । ଏବେ ସେମାନେ ଚିତ୍ତପୁର ଟାଉନରେ ଥିବା ଜଣାପଡ଼ିଛି ।