ବିଦୁସ୍ମିତାଙ୍କୁ ଠକିଦେଲେ ବିଲ୍ଡର

ଜମି ଦେଲେନି କି ଟଙ୍କା ଫେରାଇଲେନି

0

ଭୁବନେଶ୍ୱର: ଠକାମିର ଶିକାର ହେଲେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା। ଜମି କିଣି ଦେବାକୁ କହି ତାଙ୍କଠାରୁ ୧୫ଲକ୍ଷ ଟଙ୍କା ଠକିନେଇଛି ଜଣେ ବିଲ୍ଡର। ଆଉ ଏନେଇ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଦୁସ୍ମିତା। ୨୦୧୯ରେ ଜମି କିଣିବା ନେଇ ରିଏଲ ଡ଼େଭଲପରସ ଆଣ୍ଡ କଷ୍ଟ୍ରକ୍ସନ ଲିମିମଟେଡ଼ ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ ବିଦୁସ୍ମିତା। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରୁଣଜ୍ୟୋତି ପଟ୍ଟନାୟକ ତାଙ୍କୁ କଳିଙ୍ଗ ବିହାରରେ ଏକ ଜମି ଦେବେ କହିଥିଲେ। ଚୁକ୍ତି ମୁତାବକ ଜମି କିଣିବା ପୂର୍ବରୁ ଅଗ୍ରୀମ ୧୫ଲକ୍ଷ ଟଙ୍କା ଏବଂ ପଞ୍ଜିକରଣ କରିବା ପରେ ବକେୟା ଟଙ୍କା ବିଦୁସ୍ମିତା ସଂସ୍ଥାକୁ ଦେବେ ବୋଲି କଥା ହୋଇଥିଲା। ଆଉ ସେଥିପାଇଁ ଅଭିନେତ୍ରୀ ଜଣଙ୍କ ୧୫ ଲକ୍ଷ ଟଙ୍କା ମଧ୍ୟ ଅଗ୍ରୀମ ଦେଇସାରିଥିଲେ। ପରେ ତାଙ୍କ ମାଆ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଟଙ୍କା ଦେବାର ୨ ମାସ ଭିତରେ ତାଙ୍କୁ ପଞ୍ଜିକରଣ କରାଯିବ ବୋଲି ଅରୁଣ କହିଥିଲେ। ମାତ୍ର ୨ମାସ ଯାଇ ୩ ବର୍ଷ ବିତିଗଲାଣି ତଥାପି ଅରୁଣ ପଞ୍ଜିକରଣ କଲେନି କି ବଦୁସ୍ମିତାଙ୍କୁ ଟଙ୍କା ଫେରାଇଲେ ନାହିଁ। ଏପରିକି ଉକ୍ତ ସଂସ୍ଥା ଓ କର୍ତ୍ତୃପକ୍ଷଙ୍କୁ ବାରମ୍ଭାର ଫୋନ କରିଥିଲେ ବିଦୁସ୍ମିତା। କିନ୍ତୁ ସନ୍ତୋଷଜନକ ଉତ୍ତର ମିଳିନଥିଲା। ଆଜିକାଲି କହି ସମୟ ଗଡ଼ାଇ ଚାଲିଥିଲେ। ତେଣୁ ବାଧ୍ୟ ହୋଇ ବିଦୁସ୍ମିତା ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଦେଖିବାକୁ ବାକି ରହିଲା ବିଦୁସ୍ମିତାଙ୍କୁ ଧୋକା ଦେଇଥିବା ଅରୁଣଜ୍ୟୋତି ପଟ୍ଟନାୟକଙ୍କ ପ୍ରତି ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି।