ନୂଆଦିଲ୍ଲୀ : ନୀତି ଆୟୋଗ ସିଇଓ ହେବେ ପରମେଶ୍ୱର ଆୟର ସୂଚନା ଦେଲେ ଡିଓପିଟି ବିଭାଗ । ଏହି ବର୍ତ୍ତମାନର ସିଇଓ ଅମିତାଭ କାନ୍ତଙ୍କ ଅବସର ପରେ ପରମେଶ୍ୱର ଜୁଲାଇ ପହିଲାରୁ ନୀତି ଆୟୋଗ ମୁଖ୍ୟ ଭାବେ ଯୋଗ ଦେବେ । ଅମିତାଭଙ୍କ କାର୍ଯ୍ୟକାଳ ଜୁନ ମାସ ଶେଷ ଆଡ଼କୁ ଅନ୍ତ ହେଉଛି । ତାଙ୍କ ବଦଳରେ କେନ୍ଦ୍ର ସରକାର ୧୯୮୧ ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡର ଆଇଏସ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୨୧ ଜୁନରେ ବର୍ତ୍ତମାନର ସିଇଓ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ସରିବାର ଥିଲା । ହେଲେ ଏହାକୁ ଗୋଟିଏ ବର୍ଷ ବଢ଼ାଯାଇଥିଲା । ଏବେ ନିଯୁକ୍ତ ହେବାକୁ ଥିବା ପରମେଶ୍ୱରଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ ବୋଲି ଡିଓପିଟି ସୂଚନାରୁ ଜଣାପଡ଼ିଛି ।
ପରମେଶ୍ୱର ପ୍ରାୟ ୨୭ ବର୍ଷ ଆଇଏଏସ ଭାବେ କାର୍ଯ୍ୟ କରିବା ପରେ ୨୦୦୯ ମସିହାରେ ଇସ୍ତଫା ଦେଇଥିଲେ । ପୁଣି ୨୦୧୬ ମସିହାରେ ପାନୀୟ ଜଳ ଏବଂ ସ୍ୱଚ୍ଛତା ବିଭାଗର ସଚିବ ଭାବେ ଯୋଗ ଦେଇଥିଲେ । ପୂର୍ବରୁ ସେ ମାୟାବତୀ ସରକାରରେ ଗ୍ରାମୀଣ ଜଳ ସ୍ୱଚ୍ଛତା ଦିଗରେ ଅଭିଜ୍ଞତା ରଖିଛନ୍ତି ।