ବେଙ୍ଗାଲୁରୁରେ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଆଗାମୀ ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ବିପୁଳ ନିବେଶ ଆଣିବା ଓ ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ସଂଖ୍ୟାକୁ ଲକ୍ଷେରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ଦୁବାଇ, ଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ଆୟୋଜନ ହେଉଛି ନିବେଶକ ସମ୍ମେଳନ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଗତକାଲିଠୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଶିଳ୍ପ କେନ୍ଦ୍ର ଭାବରେ ଗଢ଼ିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରଣୟନ କରିଛନ୍ତି।

ନିୟମିତ ବ୍ୟବଧାନର ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ ଆୟୋଜନ କରି ନିବେଶକ, ଶିଳ୍ପଦ୍ୟୋଗୀମାନଙ୍କୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛନ୍ତି। ଆଜି ବେଙ୍ଗାଲୁରୁରେ ନିବେଶକ ସମ୍ମିଳନୀରେ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କ’ଣ କ’ଣ ରହିଛି ସୁବିଧା ସୁଯୋଗ । ଏନେଇ ନିବେଶକଙ୍କୁ ବୁଝାଇ ନିମନ୍ତ୍ରଣ କରିବେ ନବୀନ । ଗତକାଲି ପ୍ରଥମ ଦିନରେ ବିଶିଷ୍ଟ ଶିଳ୍ପପତି ତଥା ୱିପ୍ରୋର ପୂର୍ବ ଅଧ୍ୟକ୍ଷ ଅଜିମ୍‍ ପ୍ରେମ୍‍ଜୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଶ ସଂକ୍ରାନ୍ତ ଆଲୋଚନା କରିଛନ୍ତି। ଏମ୍‍ଭିଏମ ଇଣ୍ଡଷ୍ଟ୍ରୀଜ୍‍ ଲିମିଟେଡର ପଚିଚାଳନା ନିର୍ଦ୍ଦେଶକ ନନ୍ଦା ଭେଙ୍କଟ ରାଓ,ଗୋଲ୍ଡେନ ହାଚେରିଜ୍‍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସୟଦ୍‍ ଫହାଦ୍‍, ନନ୍ଦୀ ପାୱାରଟ୍ରୋନିକ୍ସର ପରିଚାଳନା ନିର୍ଦ୍ଦେଶକ ଏଚ୍‍ଏନ୍‍. ରାମକ୍ରିଷ୍ଣୟା, ନେଷ୍ଟାୱେର ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦ୍ର ସାହୁ, ମେରଲିନ୍‍ହକ୍‍ ଏରୋସ୍ପେଶ ଲିମିଟେଡର ନିର୍ଦ୍ଦେଶକ ଏବଂ ସିଏଫ୍‍ଓ ଯୋଶେଫ୍‍ ଆଣ୍ଡ୍ରୋଥ , ଏବଂ ଶର୍ଭାଣୀ ଏନର୍ଜୀ ପରିଚାଳନା ନିର୍ଦ୍ଦେଶକ ଏନ୍‍. ପ୍ରଶାନ୍ତ ରାଓଙ୍କ ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିବେଶ ସଂକ୍ରାନ୍ତ ଆଲୋଚନା କରିଛନ୍ତି।

ଓଡ଼ିଶାର ଶିଳ୍ପ ଅନୁକୂଳ ବାତାବରଣ, ରାଜ୍ୟ ସରକାରଙ୍କ ଶିଳ୍ପ ନୀତି, ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ ର‍୍ୟାଙ୍କିଂରେ ଓଡ଼ିଶାର ସ୍ଥାନ, ଦକ୍ଷ ମାନବ ସମ୍ବଳ ସମ୍ପର୍କରେ ଏହି ଶିଳ୍ପପତିମାନଙ୍କୁ ଅବଗତ କରିବା ସହ ନିବେଶ ନିମନ୍ତେ ନିମନ୍ତ୍ରଣ କରିଛନ୍ତି।ଦୁବାଇରେ ହୋଇଥିବା ଇନଭେଷ୍ଟର୍ସ ମିଟରେ ବଡ ବଡ ନିବେଶକଙ୍କ ସହ ଆଲୋଚନା କରିଥିଲେ | ୨୨ହଜାର କୋଟି ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି | କେବଳ ସେତିକିନୁହେଁ ନୂଆଦିଲ୍ଲୀ ଓ ମୁମ୍ବାଇରୁ ମଧ୍ୟ ଭଲ ପ୍ରସ୍ତାବ ଆସିଥିବା ସୂଚନା ମିଳିଛି |