ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଆଜି ଝାରସୁଗୁଡ଼ା ଔଗୠଉ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ବ୍ୟକ୍ତିଗତ କାରଣ ପାଇଁ ନବଙ୍କୁ ହତ୍ୟା ହେଇଥିବା ନେଇ କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଥିବା ଜଣାପଡିଛି । ହତ୍ୟାର ୧୧୮ ଦିନ ପରେ ଚାର୍ଜସିଟ ଦାଖଲ ହେଲା । ମୋଟ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ପ୍ରିଲିମିନାରୀ ଚାର୍ଜସିଟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ସୂଚନା ମିଳିଛି। ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଆଶଙ୍କା କରି ହତ୍ୟା ଯୋଜନା କରିଥିଲା । ତେବେ କାହିଁକି ବନଙ୍କ ପ୍ରତି ଗୋପଳର ଆକ୍ରୋଶ ଥିଲା ସେ ବାବଦରେ ଉଲ୍ଲେଖ କରିନି କ୍ରାଇମବ୍ରାଞ୍ଚ । ୩୦୨, ୩୦୭ ଆଇପିସି ୨୭ (୧) ଆର୍ମ୍ସ ଆକ୍ଟରେ ତଦନ୍ତ ହୋଇ ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି । ସମସ୍ତ ପ୍ରକାର ତଥ୍ୟ ସଂଗ୍ରହ ସହ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବାରୁ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ଏହା ଦୃଢ ପ୍ରମାଣ ବୋଲି କୁହାଯାଉଛି । ଆଜି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରା ପହଞ୍ଚି ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ ଦାଖଲ କରିଛନ୍ତି। ସେହି ସମୟରେ ସଦର ଏସଡିପିଓ ନିର୍ମଳ ମହାପାତ୍ର ମଧ୍ୟ ଉପସ୍ଥିତ ଥିବାର ସୂଚନା ରହିଛି। ଆଜି ଡିଏସପି ରମେଶ ଦୋରାଙ୍କ ନେତୃତ୍ବରେ ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କୋର୍ଟରେ ପହଞ୍ଚିଥିଲେ। । ନବ ଦାସ ହତ୍ୟାକାଣ୍ଡରେ ତଦନ୍ତ ଅଧିକାରୀଙ୍କୁ ମିଶାଇ ମୋଟ ୮୯ ଜଣ ସାକ୍ଷୀ ଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି।