ପୁରୀ/ ଜୟନ୍ତ କୁମାର ସେଠି: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ମୃତ ଦେହ ପଡିଥିବା ଉଦ୍ଧାର ହୋଇଚି। ମୃତ ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ମେରାଇନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀ ଜଣକ ମୁହଁ ମାଡି ବେଳାଭୂମି କୂଳରେ ପଡିଥିବା ଦେଖିବାକୁ ମିଳୁଛି।
ତେବେ ଯୁବତୀ ଜଣକ ସମୁଦ୍ରରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଗତ ୨୪ ତାରିଖରେ ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ହୋଟେଲ ଶାନ୍ତି ପ୍ୟାଲେସରୁ ମଧ୍ୟପ୍ରଦେଶ ସାଗର ଗ୍ରାମର ଜଣେ ୧୮ ବର୍ଷୀୟା ଅଣ ଓଡିଆ ଯୁବତୀ ନିଖୋଜ ହୋଇଥିଲେ।
ଏନେଇ ସମୁଦ୍ର କୂଳ ଥାନାରେ ନିଖୋଜ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଏପର୍ୟ୍ୟନ୍ତ ଯୁବତୀର କୈାଣସି ପତ୍ତା ମିଳିନାହିଁ। ଗତ ୨୩ ତାରିଖ ସକାଳ ୫ଟା ୪୨ ମିନିଟରେ ଯୁବତୀ ଜଣକ ପରିବାର ଲୋକଙ୍କୁ କିଛି ନକହି ହୋଟେଲ ରୂମ୍ ରୁ ବାହାରୁଥିବା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ଏହାପରେ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ। ତେବେ ଇଏ ସେହି ଯୁବତୀ କି ଅନ୍ୟକାହାର ମୃତ ଦେହ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।