ବେଆଇନ ଧାନ ଚାଲାଣ ଟ୍ରକକୁ ଜବତ କଲା ଜିଲ୍ଲା ପ୍ରଶାସନ 

0

ସୁବର୍ଣ୍ଣପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କଳାବଜାରୀ ଏବଂ ବେଆଇନ ଚାଲାଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ନେଇଛି । ଏଥିପାଇଁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ବ୍ଲକ ଏବଂ ତହସିଲ ଅଞ୍ଚଳରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠିତ ହୋଇଛି । ଏହି କ୍ରମରେ ଗତକାଲି ରାତିରେ ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ଆଞ୍ଚଳିକ ବଜାର କମିଟିର ସମ୍ପାଦକ ଉଦିତ କୁମାର ବାବୁ ଏବଂ ସହକର୍ମୀ ମାନଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ ହୋଇଛି ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାମପୁର ଡୁଙ୍ଗୁରିପାଲି ରାସ୍ତା ର ପିପିଲିପାଲି ଠାରେ ଏକ ଧାନ ବୋଝେଇ ଟ୍ରକକୁ ଯାଞ୍ଚ କରିଥିଲେ । ଏହି ଟ୍ରକରେ ୧୨୦.୩୦ କୁଇଣ୍ଟାଲ ଓଜନର ୩୩୬ ବସ୍ତା ଧାନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଞ୍ଚଳରୁ ଚାଲାଣ ହେଉଥିଲା । ଡ୍ରାଇଭରକୁ ଧାନ ଚାଲାଣ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିବା ପାଇଁ ମାଗିବାରୁ ସେ ତାହା ଦେଖାଇ ପାରି ନ ଥିଲା । ସେଥିପାଇଁ ଏହି ଧାନକୁ ବେନିୟମ ଭାବରେ ଅନ୍ୟତ୍ର ନିଆଯାଉଥିବାର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା ଏବଂ ନିୟମ ମୁତାବକ ଡୁଙ୍ଗୁରିପାଲି ଯୋଗାଣ ନିରୀକ୍ଷକଙ୍କୁ ଏହି ବ୍ୟାଜାପ୍ତ ଧାନକୁ ହସ୍ତାନ୍ତର କରାଯାଇ ବ୍ୟାଜାପ୍ତ ଚୋରା ଧାନକୁ ଡୁଙ୍ଗୁରିପାଲିର ଉମାଶଙ୍କର ରାଇସମିଲରେ ଜିମା ରଖାଯାଇଛି ବୋଲି ତହସିଲଦାର ରାମପୁର ସୂଚନା ଦେଇଛନ୍ତି  ।