ଭୁବନେଶ୍ୱର: ରାଇମୋହନ ପରିଡା । ଏହି ନାଁ ସାରା ଘରେ ଘରେ ପରିଚିତ । ୯୦ ଦଶକରେ ଯେଉଁ ଫିଲ୍ମ ହେଉଥିଲା ପ୍ରାୟ ଅନେକ ଫିଲ୍ମରେ ଖଳନାୟକ ଭୂମିକା ତୁଲାଉଥିଲେ ରାଇମୋହନ। ଆଉ ତାଙ୍କ କ୍ୟାରିୟର ଭିତରେ ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୯୦ଟି ଓଡିଆ ଫିଲ୍ମ ଓ ୧୫ଟି ବଙ୍ଗଳା ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । କେବଳ ଫିଲ୍ମରେ ସେ ଯାତ୍ରା ଦୁନିଆରେ ମଧ୍ୟ ନିଜ ଜୀବନ୍ତ ଅଭିନୟର ଯାଦୁ ଦେଖାଇଛନ୍ତି ।ସେ ହୁଏତ ଆଜି ଆମ ଭିତରେ ନାହାନ୍ତି ହେଲେ ତାଙ୍କ କଳା ଦର୍ଶକଙ୍କ ଭିତରେ ତାଙ୍କୁ ଜୀବିତ ରଖିବ । ବରିଷ୍ଠ ଓଲିଉଡ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଖବର ସାରା ସିନେ ଜଗତକୁ ସ୍ତବ୍ଧ କରିଦେଇଛି ।
ଅନ୍ୟପକ୍ଷେ, ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ରାଇମୋହନଙ୍କ ସେଇ ଆଖି ତାଙ୍କ ମୃତ୍ୟୁ ପରେ ବି ଜୀବିତ ହୋଇ ରହିବ । ମୃତ୍ୟୁ ପରେ ରାଇମୋହନଙ୍କ ଚକ୍ଷୁକୁ ହସ୍ପିଟାଲକୁ ଦାନ କରିଛନ୍ତି ତାଙ୍କ ପରିବାର ଲୋକ । ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକଙ୍କୁ ବୁଝାଇବା ପରେ ସେମାନେ ରାଇମୋହନଙ୍କ ଚକ୍ଷୁଦାନ କରିଛନ୍ତି ।