ଯାଜପୁରରେ ପଡ଼ିଲା ଜିଲ୍ଲା କୋର୍ଟର ଭିତ୍ତି ପ୍ରସ୍ତର

0

ଭୁବନେଶ୍ୱର: ଯାଜପୁରରେ ଜିଲ୍ଲା କୋର୍ଟର ଭିତ୍ତି ପ୍ରସ୍ତର ଆଜି ପଡ଼ିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୁପ୍ରିମକୋର୍ଟର ବିଚାରପତି ବିନୀତ ଶରଣ, ଓଡ଼ିଶାର ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୂରଲୀଧର ଓ ଯାଜପୁରର ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଯାଜପୁରରେ ଜିଲ୍ଲା କୋର୍ଟର ଭିତ୍ତି ପ୍ରସ୍ତର ପଡ଼ିବା ପରେ ଜିଲ୍ଲାର ଆଇନଜୀବୀମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଦୀର୍ଘ ଦିନ ହୋଇ ଆସୁଥିବା ସେମାନଙ୍କର ଦାବି ପୂରଣ ହୋଇଛି ବୋଲି ଅନେକ ଆଇନଜୀବୀ ମତ ପୋଷଣ କରିଛନ୍ତି । ଯେତେ ଶୀଘ୍ର ସମ୍ଭବ କୋର୍ଟ ନିର୍ମାଣ କରିବାକୁ ଆଇନଜୀବୀମାନେ ବିଧାୟକଙ୍କୁ ଅବଗତ କରାଇଛନ୍ତି । ଅବିଳମ୍ବେ କୋର୍ଟ କୋଠା ନିର୍ମାଣ କରିବାକୁ ବିଧାୟକ ମଧ୍ୟ ଆଇନଜୀବୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏଠାରେ ପ୍ରକାଶଥାଉ କି, ପଣସା ପଞ୍ଚାୟତର ବିନ୍ଧାଣ ଠାରେ ପ୍ରତିଷ୍ଠା ହେବାକୁ ଥିବା ଜିଲ୍ଲା କୋର୍ଟରେ ୧୦୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଧାୟକ ଶ୍ରୀ ଦାସ କହିଛନ୍ତି । ଏହି କୋର୍ଟରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସୁବିଧା ସୁଯୋଗ ରହିବ । ବିଶେଷକରି ଆଇନଜୀବୀମାନଙ୍କ ସମସ୍ତ ପ୍ରକାର ଆଇନଗତ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯିବ ।