ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ପରିବହନ କର୍ତ୍ତୃପକ୍ଷ କ୍ୟାପିଟାଲ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟକୁ ଆଉ ଏକ ଆନ୍ତର୍ଜାତିକ ସ୍ୱୀକୃତି ମିଳିବାକୁ ଯାଉଛି । ଚଳିତ ଫେବୃଆରୀ ୮ ତାରିଖ ସଂଧ୍ୟା ୭.୩୦ରେ କ୍ରୁଟକୁ ଏହି ସ୍ୱୀକୃତି ମିଳିବ। ସ୍ଥାୟୀ ପରିବହନ ପୁରସ୍କାର (ସଷ୍ଟେନେବଲ ଟ୍ରାନ୍ସପୋର୍ଟ ଆୱାର୍ଡ)ର ବିଜେତା ପ୍ୟାରିସ୍ ହୋଇଥିବା ବେଳେ ଭାରତରେ ଭୁବନେଶ୍ୱର ଏବଂ ମେକ୍ସିକୋରେ ଷ୍ଟେଟ୍ ଅଫ୍ ଜାଲିସ୍କୋଙ୍କ ନାମ ଏହି ପୁରସ୍କାର ପ୍ରଦାନରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱର ନାମ ପୁରସ୍କାରରେ ସମ୍ମାନଜନକ ଭାବରେ ଉଲ୍ଲେଖ କରାଯିବାର ଶ୍ରେୟ କ୍ରୁଟ୍କୁ ଯାଉଛି, ଯାହା ମୋବସ୍ ଏବଂ ମୋ ଇ-ରାଇଡ ସେବା ପରିଚାଳନା କରୁଛି । ସଷ୍ଟେନେବଲ ଟ୍ରାନ୍ସପୋର୍ଟ ଆୱାର୍ଡ (ଏସ୍ଟିଏ) ବିଶ୍ୱସ୍ତରରେ ସେହି ସହରଗୁଡ଼ିକୁ ସମ୍ମାନିତ କରୁଛି । ଯେଉଁମାନେ ଦୀର୍ଘସ୍ଥାୟୀ ସହରାଞ୍ଚଳ ଗମନାଗମନ କ୍ଷେତ୍ରରେ ଯୁଗାନ୍ତକାରୀ ସମାଧାନ ଆଣିବାର ଉଦାହରଣ ସୃଷ୍ଟି କରିଛନ୍ତି । ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି, ପ୍ରତ୍ୟକ୍ଷ ଆଡଭୋକେସି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା, ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ଏବଂ ସମୃଦ୍ଧ, ସ୍ଥାୟୀ ଏବଂ ସମାନ ସହରକୁ ସମର୍ଥନ କରିବା ପାଇଁ ନ୍ୟୁୟର୍କସ୍ଥିତ ଆଇଟିଡିପି ହେଉଛି ଏକ ସର୍ବଭାରତୀୟ ସଂଗଠନ ।
ଯାହା ୪୦ରୁ ଅଧିକ ଦେଶର ୧୦୦ରୁ ଅଧିକ ସହର ସହିତ ପରିବହନ ଏବଂ ସହରାଞ୍ଚଳ ବିକାଶ ପ୍ରଣାଳୀ ଏବଂ ନୀତି ସମାଧାନର ପରିକଳ୍ପନା ତଥା କାର୍ୟ୍ୟକାରୀ କରିବା ପାଇଁ କାର୍ୟ୍ୟ କରିଛି । ଯାହା ସହରଗୁଡ଼ିକୁ ଅଧିକ କାର୍ୟ୍ୟକ୍ଷମ, ନ୍ୟାୟଯୁକ୍ତ ଏବଂ ଜୀବନ୍ତ କରିଥାଏ । ସଷ୍ଟେନେବଲ ଟ୍ରାନ୍ସପୋର୍ଟ ଆୱାର୍ଡ (ଏସ୍ଟିଏ) ପକ୍ଷରୁ କୁହାଯାଇଛି । ଭାରତର ଅନ୍ୟତମ ରାଜ୍ୟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱର ବ୍ୟବହାରକାରୀ ଅନୁଭୂତି, ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେଇ ଏବଂ ଅଧିକ ସଂଯୁକ୍ତ ଗମନାଗମନ ବିକଳ୍ପ ଯୋଗାଇ ଦେଇ ଏହାର ଗଣ ପରିବହନ ସେବାକୁ ମଜଭୁତ ଏବଂ ଆଧୁନିକିକରଣ କରିବା ଦିଗରେ କାର୍ୟ୍ୟକରୁଛି । ଏହି ସହର ତାହାର ପୂର୍ଣ୍ଣାଙ୍ଗ ଭାବରେ ଡିଜାଇନ କରାଯାଇଥିବା ସିଟି ବସ୍ ନେଟୱର୍କ ବ୍ୟବସ୍ଥା ପରିଚାଳନାକୁ ଶୃଙ୍ଖଳିତ କରିବା ଏବଂ ଏହାକୁ ଅନ୍ୟ ଅତ୍ୟାବଶ୍ୟକ ପରିବହନ ସେବା ସହିତ ସମନ୍ୱିତ କରିବାକୁ ୨୦୧୮ରେ ଘରୋଇ କ୍ଷେତ୍ର ସହଭାଗୀଙ୍କ ସହିତ ମିଶି କାର୍ୟ୍ୟ ଆରମ୍ଭ କରିଥିଲା । ଏହାର ବସ୍ ସେବା ବ୍ୟବସ୍ଥାକୁ ‘ମୋ’ ବସ୍’ ଭାବରେ ନାମିତ କରାଯାଇଛି ଏବଂ ଏହା ରାଜ୍ୟରେ ସେବା ଯୋଗାଉଥିବା ସହରାଞ୍ଚଳ ଜନପଥଗୁଡ଼ିକର ଜନସାଧାରଣଙ୍କ ପାଇଁ ସିଟି ବସ୍ ସେବା ସଂଯୋଗୀକରଣରେ ଉନ୍ନତି ଆଣିବାକୁ କାର୍ୟ୍ୟ କରୁଛି ।
ମହାମାରୀ ପରେ ଭୁବନେଶ୍ୱର ମଧ୍ୟ ଏହାର ପର୍ୟ୍ୟଟନ ଶିଳ୍ପକୁ ପୁନଃ ସୁଦୃଢିକରଣ କରିବା ଉପରେ ଦୃଷ୍ଟିନିବଦ୍ଧ କରି ଆସୁଛି । ଏବଂ ବ୍ୟବହାରକାରୀଙ୍କ ଆବଶ୍ୟକତାର ମୂଲ୍ୟାୟନ କରି ତଥା ବାୟୁମାନ ଏବଂ ପ୍ରଦୂଷଣ ଆଦି ମୁଖ୍ୟସ୍ୱାସ୍ଥ୍ୟଗତ ଓ ପରିବେଶଗତ ଦିଗଗୁଡ଼ିକ ପ୍ରତି ଦୃଷ୍ଟିଦେଇ ସ୍ୱଳ୍ୱ ଅବଧି ଗମନାଗମନରେ ବୃଦ୍ଧି ଘଟାଇବା ଉପରେ ଗୁରୁତ୍ୱ ଦେଉଛି । ସହର ଏହାର ପରିବହନ ବ୍ୟବସ୍ଥାକୁ ଅଧିକ ସୁଲଭ କରିବା ପାଇଁ ଏହାର ସିଟି ବସ୍ ସେବା (ମୋ ବସ୍ ସହିତ ଇ-ବସ୍ ସେବା ପ୍ରଚଳନ) ଏବଂ ଇ-ରିକ୍ସା ସେବା (ମୋ ଇ-ରାଇଡ)ର ସମ୍ପ୍ରସାରଣ ସମେତ ସମୁଦାୟ ପରିବହନ ଭିତ୍ତିଭୂମିରେ ଉନ୍ନତିକୁ ଅଗ୍ରାଧିକାର ଦେଉଛି । ଯାହା ନିରାପତ୍ତା, ଦୀର୍ଘ ସ୍ଥାୟିତ୍ୱ ଏବଂ ଶେଷ ମାଇଲ ସଂଯୋଗୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏ ସମ୍ପର୍କରେ ପ୍ରକାଶ କରି କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ରାଜ୍ୟ ପାଇଁ ଏଭଳି ଏକ ସ୍ୱୀକୃତି ପ୍ରାପ୍ତ କରିବା ଏକ ଗର୍ବର ବିଷୟ ।
ଆମେ ନିରନ୍ତର ଭଲ କାମ କରି ଚାଲିବୁ ଏବଂ ରାଜ୍ୟରେ ଦୀର୍ଘସ୍ଥାୟୀ ଗଣ ପରିବହନ ବ୍ୟବସ୍ଥାରେ ବୃଦ୍ଧି ଘଟାଇବାକୁ ଓଡ଼ିଶା ସରକାରଙ୍କ ସହାୟତାରେ ନୂଆ ନୂଆ ପ୍ରୟାସ ସମୂହ କାର୍ୟ୍ୟକାରୀ କରିବୁ ।” କ୍ରୁଟ୍ର ଜେନେରାଲ ମ୍ୟାନେଜର ଶ୍ରୀମତୀ ଦୀପ୍ତି ମହାପାତ୍ର କହିଛନ୍ତି, “ଟିମ୍ର କଠିନ ପରିଶ୍ରମ ଯେତେବେଳେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଯେକୌଣସି ରୂପରେ ସ୍ୱୀକୃତି ପ୍ରାପ୍ତ କରୁଛି, ସେତେବେଳେ ଏହା ନିଶ୍ଚିତ ଭାବରେ ଆନନ୍ଦ ଦେଉଛି । ମୁଁ ରାଜ୍ୟ ସରକାରଙ୍କୁ ନିରନ୍ତର ସମର୍ଥନ ନିମନ୍ତେ ଧନ୍ୟବାଦ ଜଣାଉଛି । ଯିଏ ଉନ୍ନତ ବ୍ୟବହାରକାରୀ ଅନୁଭୂତି, ଲିଙ୍ଗଗତ ଅନ୍ତର୍ଭୁକ୍ତି, ନିରାପତ୍ତା ଏବଂ ସୁଲଭତା ଆଦି ସହିତ ରାଜ୍ୟର ଗଣ ପରିବହନ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଆମକୁ ସହାୟତା କରିଛନ୍ତି । ଯେତେବେଳେ ପ୍ରୟାସକୁ ସ୍ୱୀକୃତି ମିଳେ, ସେତେବେଳେ ତାହା ଆମକୁ ଗୌରବାନ୍ୱିତ କରେ । ଏବଂ ଆମକୁ ସର୍ବୋତ୍ତମ ଯାତ୍ରୀ ଅନୁଭୂତି ଯୋଗାଇଦେବା ନିମନ୍ତେ ଆଉ ଅଧିକ ଉଦ୍ୟମ କରିବାକୁ ପ୍ରେରଣା ଦିଏ ।”