ସୁନା କିଣିବା ବେଳର ଫଟୋ ଏବେ ଇଡି ହାତରେ

0

କୋଲକାତା: ଯେତେ ଖୋଜିଲେ ସେତେ ବାହାରୁଛି। ଘର ତ ନୁହେଁ ଇଏ କୁବେର ଭଣ୍ଡାର। ହଜାରେ କି ଲକ୍ଷେ ନୁହେଁ କୋଟି କୋଟି ଟଙ୍କା।ତା ପୁଣି ୨ ହଜାର ଓ ୫ଶହ ଟଙ୍କିଆ ନଗଦ ନୋଟ୍ । ୨୦୧୪ ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ ନିଯୁକ୍ତି ଘୋଟାଲାରେ ପେଡ଼ି ପ୍ରତିଦିନ ଖୋଲିବାରେ ଲାଗିଛି । ଆଉ ଏ ଭଣ୍ଡାର ହେଉଛି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର। ଯେଉଁଠି ଭରି ରହିଛି ଅମାପ ଟଙ୍କା ଓ ସୁନା।

ଯାହାକୁ ଦେଖି ତାଜୁବ ଇଡି ଅଧିକାରୀ। ଅର୍ପିତାଙ୍କ ଦୁଇଟି ଘରେ ଚଢାଉ କରି ଇଡିକୁ ମିଳିଥିଲା ପ୍ରାୟ ୫୦ କୋଟି ଟଙ୍କା । ଏହାସହ ପ୍ରାୟ ୭ କେଜିର ସୁନା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାଇଖାନାରୁ ବି ମିଳିଥିଲା କୋଟି କୋଟି ଟଙ୍କାର ନୋଟ । ସୁନାରେ ତିଆରି ଫଟୋ ଫ୍ରେମ ଜବତ ହୋଇଥିବା ବେଳେ ସୁନାର କଲମ ମଧ୍ୟ ପାଇଥିଲା ଇଡି । ସେପଟେ ଉତ୍ତର ଚବିଶ ପରଗଣାରେ ଚର୍ମନଗରୀ ପଛ ପଟେ ଅର୍ପିତାଙ୍କ ନାଁରେ ଏକ ଦଶ ମାଣ ଜମି ଠାବ ହୋଇଛି ।ସେହିପରି ଗହଣା କିଣିବାକୁ ଅର୍ପିତାଙ୍କୁ ସୁନା ଦୋକାନ ନେଇଥିଲେ ପାର୍ଥ । ଯାହାର ଏକ ଫଟୋ ଏବେ ଇଡି ହାତରେ ।

ପଶ୍ଚିମବଙ୍ଗ ୨୪ ପ୍ରଗଣାର ଏକ ନାମୀଦାମୀ ସୁନା ସୋ ରୁମକୁ ଯାଇଥିଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ । ଉଭୟ ବସି ସୁନା କିଣୁଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ ଅର୍ପିତା ବସି ହାତରେ ଚୁଡ଼ି ପିନ୍ଧୁଥିବାର ଦେଖିବାକୁ ମିଳିଛି । ଗତ ଦୁର୍ଗାପୂଜା ସମୟର ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ପାର୍ଥ ଅର୍ପିତାଙ୍କୁ ନେଇ ଏକ ସୁନା ସୋରୁମରେ ଗହଣା କିଣୁଥିଲେ । କେବଳ ସୁନା ଚୁଡ଼ି ନୁହେଁ ଏକ ହୀରା ମୁଦି ମଧ୍ୟ ଉପହାର ସ୍ବରୂପ ଅର୍ପିତାଙ୍କୁ ଦେଇଥିଲେ ପାର୍ଥ ।କେବେ ସରିବ ଖଜାନା ତାହାନେଇ ଏବେ ସାଧାରଣରେ ଚର୍ଚ୍ଚା ଯୋର ଧରିଛି ।