ମାଁ ଠାକୁରାଣୀଙ୍କ ଯାତ୍ରା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

0

ଗଞ୍ଜାମ /ରଜନୀକାନ୍ତ ପାତ୍ର : ବିଶ୍ବ ପ୍ରସିଦ୍ଧ ମାଁ ବୁଢ଼ି ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ପରେ ଦେଶୀବେହେରା ସାହିରେ ମାଁଙ୍କ ଅସ୍ଥାୟୀ ମଣ୍ଡପର ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ ହୋଇଯାଇଛି । ଅନ୍ୟ ପକ୍ଷରେ ଯାତ୍ରା ଆରମ୍ଭ ତାରିଖ ଘୋଷଣା ପରେ ସାରା ସହର ଚଳଚଞ୍ଚଳ ହୋଇପଡି ଥିବାବେଳେ, ଅସ୍ଥାୟୀ ମଣ୍ଡପର କାର୍ୟ୍ୟ ସମୟ ସୀମା ମଧ୍ୟରେ ସମ୍ପନ୍ନ ହୋଇଯିବ ବୋଲି ଯାତ୍ରାର ମୁଖ୍ୟ ପରିଚାଳକ ତଥା ଆୟୋଜକ ଶ୍ରୀ ଦୁର୍ଗା ପ୍ରସାଦ ଦେଶୀବେହେରା କହିଛନ୍ତି । ଏନେଇ ଆସନ୍ତା ମାସ ୪ ତାରିଖରେ ହେବାକୁ ଥିବା ଯାତ୍ରାର ଆୟୋଜନ ଓ ପ୍ରସ୍ତୁତି ନେଇ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଆଇନ ଶୃଙ୍ଖଳା ଓ ନିୟନ୍ତ୍ରଣ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେଶୀ ବେହେରାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ବହୁ କର୍ମକର୍ତ୍ତା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଏହି ବୈଠକରେ ଯାତ୍ରା ଅନୁଷ୍ଠିତ ନେଇ ବିଭିନ୍ନ ବ୍ୟବସ୍ଥା କରାଯିବା ସହ ସୁପରିଚାଳନା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ନିମନ୍ତେ ସମସ୍ତ ଆଲୋଚନା କରିଥିଲେ । ସେଥି ମଧ୍ୟରୁ ଯାତ୍ରା ଅସ୍ଥାୟୀ ମଣ୍ଡପର ସୁରକ୍ଷା ପାଇଁ ଆଖ ପାଖ ଅଞ୍ଚଳରେ ସିସିଟିଭିର ବ୍ୟବସ୍ଥା, ବିଜୁଳି ଆଲୋକର ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲ ବ୍ୟବସ୍ଥା, ପୋଲିସ ସୁରକ୍ଷା, ଟ୍ରାଫିକ ସମସ୍ୟାର ବ୍ୟବସ୍ଥା, ସଫେଇ ଓ ନିଷ୍କାସନ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ନେଇ ପୋଲିସ ସୁରକ୍ଷା କର୍ମୀଙ୍କ ନିଯୁକ୍ତି ସହ ଗତ ଶୁଭଖୁଣ୍ଟି ଦିନର ଗହଳିକୁ ଦୃଷ୍ଟିରେ ରଖି ମାଁ ଙ୍କ ଆଗମନ ଦିନ ଅତ୍ୟାଧିକ ଜନ ସମାଗମ ରହିବ ଆକଳନ କରି ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା, କିଛି ଡିଏସପି, ୬ ଜଣ ଆଇଆଇସି, ୨୦ ଜନ ଏସଆଈ, ୨୦ ଜଣ ଏଏସଆଈ ଉପସ୍ଥିତ ରହି ତଦାରଖ କରିବେ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଓ ଅନ୍ୟାନ୍ୟ ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।