ଓଡିଶା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ନୀତି

(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା । ମାଳ, ଚୁଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସେହିପରି ମହାପ୍ରଭୁଙ୍କ ମକର ବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ମାଳ ଚୁଳ ଏବଂ ବଡ଼ ବଡ଼ିଆ ମଠ ପକ୍ଷରୁ ସୁବାଷିତ ଫୁଲ ତୁଳସୀ ଆଦି ନେଇ ପ୍ରସ୍ତୁତ ମାଳ, ଚୁଳ ଶ୍ରୀଜିଉଙ୍କୁ ଲାଗି କରାଯାଇଛି । କରୋନା କଟକଣା ଭିତରେ ଶ୍ରୀମନ୍ଦିରକୁ ଭକ୍ତ ପ୍ରବେଶ କରି ମହାପ୍ରଭୁଙ୍କ ଏହି ବିରଳ ବେଶକୁ ଦର୍ଶନ କରୁଛନ୍ତି ।
ସେହିପରି ପବିତ୍ର ମକର ସଂକ୍ରାନ୍ତି ମହାପ୍ରଭୁ ମକର ଚୌରାଅଶୀ ବେଶରେ ବିଭୂଷିତ ହୋଇଥାନ୍ତି ଶ୍ରୀଜିଉ । ସକାଳୁ ମଙ୍ଗଳ ଆଳତୀ,ଅବକାଶ,ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ପରେ ମଇଲମ,ମହାସ୍ନାନ,ସର୍ବାଙ୍ଗ ଲାଗି,ନୂଆଲୁଗା ଲାଗି ହେବା ପରେ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକର ବେଶରେ ଭୂଷିତ ହୋଇଥାଏ । ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ । ହାଣ୍ଡି କୁଡ଼ୁଆ ଇତ୍ୟାଦି ସଜଡ଼ା ଯାଇଥାଏ । ସୁଦୁ ସୁଆର ସେବକ ଉପରୋକ୍ତ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି । ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ / ପନ୍ତିବଡ଼ୁ  ସେବକମାନେ ମୁହଁରେ ବାଘମୁହାଁ  ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି । ଏହାପରେ ମହାଭୋଇ  ଦୁଧ, ଗୁଡ଼ିଆ ଶାକର ଓ ଣାସବୁକୁ ଉପରୋକ୍ତ ପ୍ରକାରେ ଏକଥର ବଡ଼ଦେଉଳ ପରିକ୍ରମା କରି ଜୟବିଜୟ ଦ୍ୱାରଠାରେ ମହାସୁଆରଙ୍କ ଜିମା ଦେଲେ ମହାସୁଆର ତାକୁ ନେଇ ଛାମୁରେ ବାଢ଼ି ଥାଆନ୍ତି । ହଡ଼ପ ନାୟକ ସେବକ  ହଡ଼ପ  ଘରଠାରୁ ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥାଆନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ । ଏ ସଂପର୍କରେ ସ୍କନ୍ଦପୁରାଣର ବିଷ୍ଣୁଖଣ୍ଡରେ ଉଲ୍ଲେଖ ରହିଛି ଯେ ମହର୍ଷି କଶ୍ୟପ  ମହାପ୍ରଭୁ ଜଗନ୍ନାଥଙ୍କ ପ୍ରୀତି ନିମନ୍ତେ ଶ୍ରୀମନ୍ଦିରରେ ଏହି ମହୋତ୍ସବ ପାଳନ କରିଥିଲେ । ଏହି ନୀତି ସଂପାଦନ ସମୟରେ ଘଣ୍ଟ, ଛତା, କାହାଳୀର ମହାର୍ଘ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦକ୍ଷିଣ କରନ୍ତି । ବିଶେଷଭାବେ ଜଗମୋହନରେ ଶ୍ରୀଜିଉଙ୍କର ଅର୍ପିତ ଅମୃତୋଗମ ମକରଚାଉଳ ବା ମକରଭୋଗ ଲାଭ କରିବା ନିମନ୍ତେ ଭକ୍ତ ମାନଙ୍କଠାରେ ପ୍ରବଳ ଆଗ୍ରହ ରହିଥାଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ । ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି ।

Related posts

ଏନଟିପିସି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

Report

ପ୍ରଫୁଲ ସହାୟ ଯୋଜନାରେ ଝିଅବାହାଘର ପାଇଁ ମିଳିଲା ଦେଢ଼ଲକ୍ଷ ଟଙ୍କା

Report

ଡଙ୍ଗରିଆ ଆଦିବାସୀମାନଙ୍କୁ ୨୦୦ ମାସ୍କ ବାଣ୍ଟିଲେ ସ୍ୱେଚ୍ଛାସେବୀ

Report

Leave a Comment