୨୦୨୨-୨୩ ଖରିପ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର । ୪୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବା ୭୧ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯିବ । ଏଥିରୁ ୫୭ଲକ୍ଷ ଟନ୍ ଧାନ ଖରିଫ୍ରେ ଓ ୧୪ଲକ୍ଷ ଟନ୍ ରବି ଋତୁରେ ସଂଗ୍ରହ କରାଯିବ। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପଞ୍ଜିକୃତ ଚାଷୀ ଯଦି ମଣ୍ଡିକୁ ଧାର୍ୟ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ ଆଣନ୍ତି, ତାହା ଗ୍ରହଣ କରିବେ। ଏଥିସହିତ ଖାଦ୍ୟ ଓ ସଂଗ୍ରହଣ ନୀତିରେ ମୋହର ଲାଗିଛି। ୨୦୨୨-୨୨ ବର୍ଷରେ ଉଭୟ ଖରିଫ୍ ଏବଂ ରବି ଋତୁରେ ମୋଟ ୭୧.୦୩ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିଲା।
ଚାଉଳ ହିସାବରେ ଏହାର ପରିମାଣ ଥିଲା ୪୮.୦୮ଲକ୍ଷ। ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଖରିପ ଧାନ ସଂଗ୍ରହ କରାଯିବ । ସେହିଭଳି ରବି ଧାନ ସଂଗ୍ରହ ପକ୍ରିୟା ମେ ରୁ ଜୁନ ମାସ ପର୍ଯ୍ୟନ୍ତ ଚାଲିବ । ଏଥିଲାଗି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ଏ ଧାନ ପାଇଁ ୨୦୬୦ ଚଙ୍କା ପ୍ରଦାନ କରାଯିବ ବୋଲି ସରକାର ନିଷ୍ଫତି ନେଇଛନ୍ତି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ ୨୪ରୁ ୪୮ ଘଣ୍ଟା ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାକୁ ଅନ୍ଲାଇନ୍ ପ୍ରକ୍ରିୟାରେ ସିଧାସଳଖ ପ୍ରଦାନ କରାଯିବ।
ଖାଦ୍ୟ ଯୋଗାଣ ବିଭାଗ କହିଛି ଯେ କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସେମାନଙ୍କର ବଳକା ଧାନ ସଂଗ୍ରହ ହେବ ଓ ଆଧାର ହେବ ଏକମାତ୍ର ପରିଚୟ ପତ୍ର। ପ୍ରକୃତ ଚାଷୀ ଧାନ ବିକ୍ରୟ କରୁଛନ୍ତି କି ନାହିଁ ଏବଂ ପଞ୍ଜୀକରଣ ବେଳେ ସେମାନେ ଉଲ୍ଲେଖ କରିଥିବା ଜମିର ବୈଧତାକୁ ନିଶ୍ଚିତ କରିବା ଲାଗି ବିଭାଗ ଏଥର ମଧ୍ୟ ଉପଗ୍ରହ ଚିତ୍ର ମାଧ୍ୟମରେ ଚାଷ ଜମି ଯାଞ୍ଚ କରିବ।
ସେହିଭଳି ପଞ୍ଜିକୃତ ଚାଷୀ କେଉଁ ତାରିଖରେ ଧାନ ବିକ୍ରି କରିବେ ଓ କେତେ ପରିମାଣର ବିକ୍ରି ପାଇଁ ଅନୁମତି ଦିଆଯାଇଛି ସେ ସଂକ୍ରାନ୍ତରେ ଆଗୁଆ ସୂଚନା ମୋବାଇଲ୍ ଫୋନକୁ ଏସ୍ଏମ୍ଏସ୍ ମାଧ୍ୟମରେ ଜଣାଇ ଦିଆଯିବ। ଓଡ଼ିଶା ଯୋଗାଣ ନିଗମ ସବୁ ଜିଲ୍ଲାରେ ଧାନ ସଂଗ୍ରହ କରିବ। ସେମାନେ ପ୍ୟାକ୍ସ, ଲ୍ୟାମ୍ପ୍ସ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ପାଣି ପଞ୍ଚାୟତ ମାଧ୍ୟମରେ ଧାନ ସଂଗ୍ରହ କରିବେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଜିଲ୍ଲାରେ ଅଧିକ ସଂଖ୍ୟାରେ ନିୟୋଜିତ ଲାଗି ଲକ୍ଷ୍ୟ ରହିଛି। ୨୦୨୦-୨୧ ବର୍ଷ ପାଇଁ ଯଦି କୌଣସି ମିଲରର ବକେୟା ଦେୟ ଅଛି,ସେମାନଙ୍କୁ ଏବର୍ଷ ଧାନ କିଣିବାକୁ ଅନୁମତି ଦିଆଯିବ ନାହିଁ।