ଓଡ଼ିଶାରେ ପୁଞ୍ଜି ନିବେଶର ଲକ୍ଷ୍ୟ ନେଇ ଆସନ୍ତା ୨୮ ରୁ ୩ ତିନିଦିନ ଧରି ଅନୁଷ୍ଠିତ ହେବ ଟ୍ରାଭେଲ ବଜାର

0

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ ):ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଓଡିଶା ଟ୍ରାଭେଲ ବଜାର। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବାକୁ ଥିବା ବେଳେ ଏହା ଟ୍ରାଭେଲ ବଜାର ଚତୁର୍ଥ ସଂସ୍କରଣ । ଏନେଇ ଭୁବନେଶ୍ୱରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୁହାଯାଇଛି । ଏଥିରେ ୨୫ ବିଦେଶୀ ଟୁର ଅପରେଟର ଏବଂ ୮୩ ଡୋମେଷ୍ଟିକ୍ ଟୁର ଅପରେଟର ଅଂଶଗ୍ରହଣ କରିବେ। ବିଶେଷ ଭାବେ ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରସାର କରିବା ଲାଗି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଏହି ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ କରାଯାଉଛି।ଏହାସହ ସ୍ଥାନୀୟ ବିକ୍ରେତା ଓ ଟୁର ଅପରେଟରମାନଙ୍କୁ ଏକ ମଂଚ ପ୍ରଦାନ କରିବା ଲାଗି ଓଡ଼ିଶା ଟ୍ରାଭେଲ୍ ବଜାର ଆୟୋଜନ କରାଯାଉଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଏବଂ ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ବି୨ବି ବୈଠକ ଆୟୋଜନ କରାଯିବା ଉପରେ ଗୁରୁତ୍ୱାରୋପ କରାଯିବ ।

ଏହା ପରେ ଟୁର ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯଥା ଭୁବନେଶ୍ୱର, ପୁରୀ, କୋଣାର୍କ, ଚିଲିକି, ଧଉଳି,ଭିତରକନିକା ଓ ଲଳିତଗିରି ଆଦି ସ୍ଥାନକୁ ପରିଦର୍ଶନରେ ନିଆଯିବ। ନିବେଶକ ଏବଂ ଏୟାରଲାଇନ୍ସ ମାନଙ୍କ ସହ ବି୨ଜି ବୈଠକ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏକ ତିନି ଦିନିଆ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ ଯେଉଁଠାରେ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ଓ ଯୋଜନାଗୁଡ଼ିକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଏଥିରେ ବାଲାଂଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର,ତାଞ୍ଜାନିଆ, ଥାଇଲ୍ୟାଣ୍ଡ୍ ଓ ଭିତଏନାମ ଭଳି ଦେଶରୁ ୨୫ଟି ବିଦେଶୀ ଟୁର ଅପରେଟର ଏବଂ ଭାରତର ବିଭିନ୍ନ ସ୍ଥାନ ଯଥା ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ, ଗୁଆହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳଗିରି, ମୁମ୍ବାଇ, ନାଗପୁର, ନାସିକ, ନୂଆଦିଲ୍ଲୀ ଓ ଏନସିଆର, ପଂଜିମ୍‌, ପୁନେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ରନଗର, ତ୍ରିଭେନ୍ଦ୍ରମ, ବାରାଣାସୀ ଓ ବିଶାଖାପାଟଣା ଆଦିରୁ ୮୩ ଟୁର ଅପରେଟର ଅଂଶଗ୍ରହଣ କରିବେ। ଅନ୍ୟପଟେ ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ, ଓଡ଼ିଶା ହେଉଛି ପ୍ରାକୃତିକ ସମ୍ବଳର ଗନ୍ତାଘର ।

କିଛି ବର୍ଷ ଭିତରେ ଆମ ରାଜ୍ୟ ଏକ ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହୋଇଛି । ଆମର ୪୮୨ କିମି ବ୍ୟାପୀ ଲମ୍ବା ବେଳାଭୂମି, ୧୯ ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଆମର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ନେଇ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ପାଖରେ ପୂର୍ଣ୍ଣ ସମ୍ଭାବନା ରହିଛି । ସେହି ସମ୍ଭାବନା ବିଷୟରେ ଦେଶ ଭିତରର ଓ ବିଦେଶର ଟୁର ଅପରେଟରମାନଙ୍କୁ ଜଣାଇବା ଲାଗି ଆମେ ତିନି ଦିନିଆ ଓଡ଼ିଶା ଟ୍ରାଭେଲ ବଜାର କରିଛୁ। ଆଉ ଯାହା କରୋନା ପରେ ଅଣ୍ଟା ଭାଙ୍ଗି ଯାଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ସୁଧାରି ପାରିବ ଅଥାତ ଏହାର ବିକାଶ ଦିଗରେ ସହାୟକ ହେବ। ତେବେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ସୁଦୂର ପ୍ରସାରୀ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିବ। ଏପରିକି ଓଡ଼ିଶାର ପର୍ଯ୍ୟଟନୀ ସ୍ଥଳଗୁଡ଼ିକ ବିଷୟରେ ଭାରତର ଏବଂ ଆନ୍ତର୍ଜାତିକ ଟୁର ଅପରେଟରମାନଙ୍କୁ ଅବଗତ କରିବା ଏହାର ଆଉ ଏକ ଉଦେଶ୍ଯ ରହିଛି ।

ସେହିପରି ଫିକିର ଟ୍ରାଭେଲ୍‌, ପର୍ଯ୍ୟଟନ ଓ ଆତିଥେୟତା କମିଟିର ସହ-ଅଧ୍ୟକ୍ଷ ଏବଂ ସ୍ୱସ୍ତି ହୋଟେଲ୍‌ସର ସିଏମ୍‌ଡି ଜେ କେ ମହାନ୍ତି କହିଛନ୍ତି ଯେ, “ଓଡ଼ିଶାର ପର୍ଯ୍ୟଟନ ସ୍ଥଳର ବିକାଶ ଦିଗରେ ରାଜ୍ୟର ପର୍ଯ୍ୟଟନ ବିଭାଗ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ଚଳିତ ବର୍ଷ ଆମର ମୁଖ୍ୟ ଧ୍ୟାନ ସ୍ଥାନୀୟ ଟୁର ଅପରେଟରମାନଙ୍କ ଉପରେ ରହିବ କାରଣ ରାଜ୍ୟକୁ ଆସୁଥିବା ୮୦ ପ୍ରତିଶତ ପର୍ଯ୍ୟଟକ ଦେଶ ଭିତରର । ଏଥର ଫିକି ପକ୍ଷରୁ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ଉପରେ ଅଧିକ ଧ୍ୟାନ ଦିଆଯାଇଛି କାରଣ ସେମାନଙ୍କ ଖାଦ୍ୟପେୟ, ପୋଷାକ ପରିଷଦ ଓ ସଂସ୍କୃତିରେ ଆମ ସହିତ ସମାନତା ରହିଛି ।ତେଣୁ ପର୍ଯ୍ୟଟନ ସ୍ଥଳୀର ପ୍ରସାର କରିବା ଲାଗି ଏକ ମଂଚ ସୃଷ୍ଟି କରିବା ଓ ସ୍ଥାନୀୟ ପର୍ଯ୍ୟଟନରେ ଉନ୍ନତି ଆଣିବା ହି ଆମର ପ୍ରଥମ ଲକ୍ଷ୍ୟ। ଏହାଦ୍ବାରା ଅଥନୀତିର ବିକାଶ ସହ ଯେଉଁ ଗାଇଡ ମାନେ ଏଦିଗକୁ ଛାଡିଦେଇଛନ୍ତି ପୁଣି ସେମାନେ ଆସିବେ ବୋଲି କହିଛନ୍ତି ଜେକେ ମହାନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ସମେତ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସ୍ୱସ୍ତି ହୋଟେଲ ନିର୍ଦ୍ଦେଶକ ଜେ କେ ମହାନ୍ତି, ପର୍ଯ୍ୟଟନ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀ ସୁରେନ୍ଦ୍ର କୁମାର ଏବଂ ପର୍ଯ୍ୟଟନ ବିଭାଗ ଅଂଶୁମାନ ରଥ ପ୍ରମୁଖ ଯୋଗ ଦେଇଥିଲେ ।