କେରଳ: ହେଲମେଟ ନ ପିନ୍ଧିବା, ବିପରୀତ ଦିଗରେ ଗାଡି ଚଳାଇବା ବା ଟ୍ରାଫିକ ନିୟମ ନ ମାନିଲେ ଆପଣ ଚାଲାଣ କଟିଥିବା କଥା ଶୁଣିଥିବେ । କିନ୍ତୁ ଗାଡିରେ କମ ପେଟ୍ରୋଲ ଥିଲେ ଚାଲାଣ କଟିଥିବା କଥା କେବେ ଶୁଣିଛନ୍ତି । ଆଜ୍ଞା ହଁ ହୁଏତ ଏ କଥା ଆପଣଙ୍କୁ ବିଶ୍ୱାସ ହେଉ ନ ଥିବ, କିନ୍ତୁ ସତ । କେହି କେବେ ଚାହାନ୍ତି ନାହିଁ କି କାର କି ବାଇକର ଚାଲାଣ କଟୁ । କାହିଁକିନା ଚାଲାଣ କଟିବା ପରେ ଜରିମାନା ଭରିବାକୁ ପଡେ । ସେଥିପାଇଁ ଘରୁ ଗାଡି ନେଇ ବାହାରିବା ବେଳେ ସମସ୍ତେ ସାଙ୍ଗରେ ସବୁ କାଗଜ ପତ୍ର ନେଇ ବାହାରି ଥାନ୍ତି । ଆଉ ସବୁ ନିୟମକୁ ମାନି ଗାଡି ଚଲାଇଥାନ୍ତି । ହେଲେ ଆପଣଙ୍କୁ କେମିତି ଲାଗିବ ଯେତେବେଳେ ଆପଣ ସବୁ ନିୟମ ମାନିବା ସତ୍ୱେ ଚାଲାଣ କଟିବ । ଆଉ ଜରିମାନା ଦେବାକୁ ପଡିବ ।
ତେବେ କେରଳରେ ଜଣେ ବାଇକ୍ ଚାଳକଙ୍କ ସହ ଏପରି ଘଟଣା ଘଟିଛି ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ମୁତାବକ, ତୁଲସୀ ଶ୍ୟାମ ନାମକ ଜଣେ ବ୍ୟକ୍ତି ନିଜର ରୋୟାଲ ଏନଫିଲଡ ଗାଡିରେ ଅଫିସ ଯାଉଥିଲେ । ରଙ୍ଗ ରୁଟରେ ରାସ୍ତା ପାର ହେଉଥିବାବେଳେ ତାଙ୍କୁ ଟ୍ରାଫିକ ପୋଲିସ ଅଟକାଇବା ସହ ୨୫୦ ଟଙ୍କାର ଚାଲାଣ କାଟିଥିଲା । ହେଲେ ରଙ୍ଗ ରୁଟରେ ଗାଡିନେଇ ଆସୁଥିବା ଯୋଗୁଁ ନୁହେଁ ବରଂ ଗାଡିରେ ତେଲ କମ୍ ଥିବାରୁ । ପୋଲିସକୁ ୨୫୦ ଟଙ୍କା ଦେଇ ଅଫିସ୍ ଚାଲିଗଲେ ତୁଲସୀ ଶ୍ୟାମ । ତାଙ୍କର ଏହି ଚାଲାଣକୁ ଦେଖି ତାଙ୍କ ଅଫିସ କର୍ମଚାରୀ ଆଶ୍ଚର୍ୟ୍ୟ ହୋଇଥିଲେ । ଏପରି କୌଣସି ନିୟମ ନାହିଁ ବୋଲି କହିଥିଲେ । ଏହାପରେ କଟିଥିବା ଚାଲାଣ କପିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବାଇକ୍ ଚାଳକ , ଯାହା ଏବେ ଭାଇରାଲ ହେଉଛି ।