ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି

0

ଭୁବନେଶ୍ୱର : ସରିଲା ଶୀତକାଳୀନ ଅଧିବେଶନ,ଧାର୍ଯ୍ୟ ଦିବସର ୨୬ ଦିନ ପୂର୍ବରୁ ସରିଲା ଅଧିବେଶନ । ମାତ୍ର ୭ ଦିନ ଚାଲିଲା ଶୀତକାଳୀନ ଅଧିବେଶନ ।ତରବରିଆ ଭାବେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।ଆଉ ଆଜି ଯାହା ବିରୋଧୀ ଆଶଙ୍କା କରୁଥିଲେ ତାହା ସତ ପ୍ରମାଣିତ ହୋଇଛି । ନିର୍ଦ୍ଧାରିତ କାର୍ଯ୍ୟ ଦିବସ ଆଗରୁ ସାରିଛି ଅଧିବେଶନ, ନଭେମ୍ବର ୨୪ ରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ଧାର୍ଯ୍ୟ ହୋଇଥିଲା ଆଉ ମୋଟ କାର୍ଯ୍ୟ ଦିବସ ଥିଲା ୩୩ ଦିନ । ତେବେ ଅଧିବେଶନରେ ୮ ଦିନ ବୈଠକ ଦିବସ ଥିବାବେଳେ ସରକାରୀ କାର୍ଯ୍ୟ ଦିବସ ୭ ଓ ଗୋଟିଏ ଦିନ ବେସରକାରୀ କାର୍ଯ୍ୟ ଦିବସ ରହିଥିଲା ।

ବିଧାନସଭା ଆରମ୍ଭ ଦିନ ପରଲୋକ ଗତ ୬ ଜଣ ସଦସ୍ୟଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ୬୨୮ ଟି ତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ କରାଯାଇଥିବାବେଳେ ୧୪ ଟି ତାରକା ଚିହ୍ନିତ ପ୍ରଶ୍ନର ମୌଖିକ ଉତ୍ତର ରଖାଯାଇଛି । 898ଟି ଅଣ ତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ କରାଯାଇଥିବାବେଳେ 1190ଟି ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଉପସ୍ଥାପନ କରାଯାଇଛି । ୧୦ ଟି ବାର୍ଷିକ ରିପୋର୍ଟ, ୨ ଟି କମିଟି ରିପୋର୍ଟ, ୨ ଟି ବିବୃତି, ୨ ଟି ସରକାରୀ ବିଧେୟକ ପ୍ରସ୍ଥପନ, ୩ ଟି ସରକାରୀ ବିଧେୟକ ପାରିତ, ୫ ଟି ମୁଲତବୀ ପ୍ରସ୍ତାବ ନୋଟିସ ଗ୍ରହଣ, ୩ ମୁଲତବୀ ପ୍ରସ୍ତାବ ଆଲୋଚନା, ୩ ଟି ସିଏଜି ରିପୋର୍ଟ ଉପସ୍ଥାପନ, ୪ ଟି ଖର୍ଚ୍ଚ ଦାବି ଆଲୋଚନା ଓ ୨୦ ଟି ଆବେଦନ ଉପସ୍ଥାପନ ହୋଇଛି ।

ଏହି ସମୟରେ ଗୃହରେ ବିଜେପିର ସଦସ୍ୟ ଅନୁପସ୍ଥିତ ରହିଲେ ।ଆଜି ବିଧାନସଭାରେ ପାରିତ ହୋଇଥିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପାଇଁ ବ୍ୟୟ ବରାଦ ବିଧାନସଭାରେ ପାରିତ ହୋଇଥିଲା।ଏହାସହ ୨୦୨୧-୨୨ ବର୍ଷର ସିଏଜି ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି। ସେପଟେ ବିଧାନସଭାକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।