ବିଶ୍ୱର ସର୍ବୋଚ୍ଚ କୃତ୍ରିମ ଲୁଣର ପାହାଡ, ୧୦୦ ହେକ୍ଟର ଜମିରେ ପରିବ୍ୟାପ୍ତ, ଉଚ୍ଚତା ୧୯୦୦ ଫୁଟ୍, ମହାକାଶରୁ ବି ଦେଖା ଯାଉଛି 

0

ବ୍ୟୁରୋ : ଧଳା ଫରଫର ଏହି ପାହାଡ ମାର୍ବଲ କିମ୍ବା କୌଣସି ପଥରର ପାହାଡ ନୁହେଁ । ଏହା ହେଉଛି ଲୁଣର ପାହାଡ । ତାହା ପୁଣି ପ୍ରାକୃତିକ ନୁହେଁ, ସଂପୂର୍ଣ୍ଣ କୃତ୍ରିମ ବା ମନୁଷ୍ୟକୃତ । ମଣିଷ ଏତେ ପରିମାଣର ଲୁଣ ଗଦାଇ ଏକ ପବର୍ତ ତିଆରି କରି ଦେଇଛି । ଏହି କୃତ୍ରିମ ଲୁଣ ବା ଲବଣ ପାହାଡ ଅଛି ଜର୍ମାନୀ ଦେଶରେ । ସେଣ୍ଟାଲ ଜର୍ମାନୀର ହେରିଜେଂନ ସହର ଉପକଣ୍ଠ ମଣ୍ଟେ କାର୍ଲି ସ୍ଥିତ ଲୁଣର ପାହାଡ ଏକ ନିଆରା ରେକର୍ଡର ଅଧିକାରୀ ।

ଏହା ହେଉଛି ବିଶ୍ୱର ସର୍ବ ବୃହତ ସର୍ବୋଚ୍ଚ ଖାଇବା ଲୁଣର ପାହାଡ । ଯାହାକୁ ଉଦ୍ଦେଶ୍ୟ ମୂଳକ ଭାବେ ଗଦାଇ ରଖା ଯାଇନାହିଁ । ବରଂ ଏହା ଅନ୍ୟ ରାସାୟନିକ ପଦାର୍ଥ ଖନନ ବେଳେ ରସାୟନିକ ପ୍ରକ୍ରିୟା କରଣ ହୋଇ ଖଦ ଭାବେ ପଡି ପାହାଡ ହୋଇ ଯାଇଛି । ଏହାକୁ ସାଧାରଣ ଶବ୍ଦରେ ମାଇନିଂ ୱେଷ୍ଟ ବା ଖଣିଜ ବର୍ଜ୍ୟ ଭାବେ କୁହାଯାଏ । ଏହି ଲୁଣ ପାହାଡର ଇତିହାସ କହୁଛି ପ୍ରଥମେ ୧୯୦୩ ମସିହାରେ ଏଠାରେ ପଟାସ୍ ମାଇନିଂ ଆରମ୍ଭ ହୋଇଥିଲା । ମୁଖ୍ୟତଃ ପଟାସ କାଚ ଓ ସାବୁନ୍ ପ୍ରସ୍ତୁତିରେ ବ୍ୟବହାର ହୁଏ । ପଟାସର ବାର୍ପ୍ଡକ୍ଟ ହେଉଛି ସୋଡିୟମ୍ କ୍ଲୋରାଇଡ୍ । ଏକ ଟନ୍ ପଟାସ ଖନନରୁ ବର୍ଜ୍ୟ ଭାବେ ୨ରୁ ୩ ଟନ୍ ସୋଡିୟମ୍ କ୍ଲୋରାଇଡ୍ ଉତ୍ପନ ହୁଏ । ତେବେ ୧୯୭୬ ମସିହାରେ କେ ଆଣ୍ଡ ଏସ୍ ନାମକ କଂପାନୀ ଏହାର ଖନନ ଦାୟିତ୍ୱ ନେବା ପରେ ସେ ମଣ୍ଟେକାଲିର ଏହି ସ୍ଥାନକୁ ଖଦ ବା ୱେଷ୍ଟ ଡମ୍ପିଂ ପାଇଁ ବ୍ୟବହାର କରିଲା ।

୪୫ ବର୍ଷ ଏହି ଖଦ ଗଦାଇବା ପରେ ଏହା ୨୪୦ ଏକର ଜମିରେ ଖେଳାଇ ହୋଇ ରହିଛି, ଯାହାର ଉଚ୍ଚତା ଏବେ ୧୯୦୦ ଫୁଟ୍ ଅତିକ୍ରମ କରିସାରିଛି । ମୋଟ ୨୨୧ ମିଲିୟନ୍ ଟନ୍ ଓଜନର ବର୍ଜ୍ୟ ବା ଖାଇବା ଲୁଣ ଏଠାରେ ପଡି ରହିଛି । ଏହି ସ୍ଥାନ ଏତ ବଡ ଯେ ବିଶ୍ୱର ପ୍ରସିଦ୍ଧ ବୁର୍ଜ ଖଲିଫା ଭଳି ୨୨୧ଟି ଆଟ୍ଟାଳିକା ଏଠାରେ ସ୍ଥାନ ପାଇଯିବ । ଏହି ଡମ୍ପିୟାର୍ଡରେ ପ୍ରତି ଏକ ଘଣ୍ଟାରେ ୯୯୨ ଟନ୍ ସୋଡିୟମ୍ କ୍ଲୋରାଇଡ୍ ନିର୍ଗତ ହେଉଥିବା ବେଳେ ବାର୍ଷିକ ୮ ମିଲୟନ୍ ଟନ୍ ବାହାରୁଛି । ଏହାର ଗୁରୁତର କୁପ୍ରଭାବ ସ୍ଥାନୀୟ ଅଂଚଳରେ ବା ପରିବେଷ ଉପରେ ପଡୁଛି । ଭୂତଳ ଜଳ ସବୁ ଲୁଣିଆ ହୋଇଗଲାଣି । ତା ସହ ପାଖରେ ଥିବା ୱେସ୍ ନଦୀ ବି ବ୍ୟବହାର ଅନୁପଯୋଗୀ ହୋଇଗଲାଣି ।

ଏଠାରେ ଦେଖା ଦେଉଥିବା ପ୍ରାୟ ଶହେ ପ୍ରକାର ଅମେରୁଦଣ୍ଡୀ ପ୍ରାଣୀଙ୍କ ମଧ୍ୟରୁ ଏବେ ମାତ୍ର ୪ଟି ଦେଖା ଦେଉଛି । ଏହି ଖଣିର ଟେଣ୍ଡର ନେଇଥିବା କେ ଆଣ୍ଡ ଏସ୍ କଂପାନୀ ୨୦୩୦ ପର୍ଯ୍ୟନ୍ତ ଏଠାରେ ଏହି ଲୁଣ ଗଦାଇବା ପାଇଁ ଲାଇସେନ୍ସ ସରକାରଙ୍କ ଠାରୁ ପାଇଛି । ଏହା ଦୁରରୁ ଏକ ମାର୍ବଲ ପାହାଡ ସୁଦୃଶ୍ୟ ହୋଇ ଥିବାରୁ ଏହା ଏକ ଟୁରିଷ୍ଟ ଡେସ୍ଟିନେସନ୍ ପାଲଟିଛି । ପ୍ରତିବର୍ଷ ଏହି ପାହାଡ ଚଢିବାକୁ ବା ବୁଲିବାକୁ ଦଶ ହଜାରରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି ।