ବାଘଛାଲ ବିକ୍ରି ରାକେଟର ପର୍ଦ୍ଦାଫାସ : ୪ଜଣ ଗିରଫ

0

ରିଆମାଳ– ବାଘଛାଲ ବିକ୍ରି ରାକେଟର ପର୍ଦ୍ଦାଫାସ କଲା ବନବିଭାଗ । ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ବନ ବିଭାଗ ପକ୍ଷରୁ ଏକ ବାଘଛାଲ ବିକ୍ରି ରାକେଟର ପର୍ଦ୍ଦାଫାସ କରାଯିବା ସହଏଥିରେ ସଂପୃକ୍ତି ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଫାସିମାଲ ନିକଟସ୍ଥ ଟୁଲୁପ ଗ୍ରାମର ମନୋହର ମାଝି(୪୫), ଗୁରୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଳ(୬୬), ନାକଟିଦେଉଳ ଥାନା ଶିମିଳିପାଳ ନିକଟସ୍ଥ ତିଲେଇମାଳ ଗ୍ରାମର ରାତିଆ କିଡୋ(୨୯) ଓ ଅଜିତ କୁମାର ଲାକ୍ରା(୩୦) ।ସୂଚନା ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦେବଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଉକ୍ତ ବାଘ ଛାଲ ବିକ୍ରି ରାକେଟକୁ ଧରିବାର ଯୋଜନା ହୋଇଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ବାଘଛାଲ କିଣିବା ବାହାନା କରି ଅଭିଯୁକ୍ତଙ୍କୁ ରିଆମାଳ-ନାକଟିିଦେଉଳ ରାସ୍ତା ସିନ୍ଦରକଲି ପାଖକୁ ଡକାଯାଇଥିଲା । ବାଘଛାଲ ଧରି ଚାରି ଅଭିଯୁକ୍ତ ଉକ୍ତ ସ୍ଥାନକୁ ୧୯ ତାରିଖ ଅପରାହ୍ଣ ୪ଟାରେ ଆସିଥିଲେ । ବାଘଛାଲ କିଣାବିକା ବାହାନାରେ କିଛି ସମୟ ଅଟକାଇ ରଖିବା ପରେ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ବାଘଛାଲ ସହିତ ଅଭିଯୁକ୍ତଙ୍କୁ ଅଟକରଖି ରେଂଜ କାର୍ୟ୍ୟାଳୟକୁ ଆଣିଥିଲେ । ଗୋଟିଏ ଦିନ ଅଟକ ରଖି ଅଧିକ ପଚରାଉଚରା କରିଥିଲେ । ସେମାନେ ବାଘଟିକୁ ନାକଟିଦେଉଳ ରେଞ୍ଜ ଲାଣ୍ଡିମାଳ ରିଜର୍ଭ ଜଙ୍ଗଲରେ ଶିକାର କରିଥିଲେ ବୋଲି କହିଥିଲେ । ସେମାନଙ୍କୁ ଗିରଫ ପରେ ଆଜି ସଂଧ୍ୟା ୫ଟା ୩୦ରେ ରିଆମାଳ ଜେଏମଏଫ୍ସି କୋର୍ଟରେ ହାଜର କରାଯାଇଥିଲା । ଜାମିନ ନମିଳିବାରୁ ଜେଲହାଜତକୁ ପଠାଇଦିଆ ଯାଇଥିବା ଶ୍ରୀ ସାହୁ କହିଛନ୍ତି ।