ଆଜି ‘ହିନ୍ଦୀ ଦିବସ’

ଜାନୁଆରୀ ୧୦ରେ ‘ବିଶ୍ବ ହିନ୍ଦୀ ଦିବସ’ ପାଳନ କରାଯାଉଥିବା ବେଳେ ଭାରତରେ ସେପ୍ଟେମ୍ବର ୧୪ରେ ପାଳନ କରାଯାଏ ହିନ୍ଦୀ ଦିବସ

0

ନୂଆଦିଲ୍ଲୀ : ଆଜି ‘ହିନ୍ଦୀ ଦିବସ’ | ହିନ୍ଦୀ ଭାଷାର ମହତ୍ତ୍ବ ବଜାୟ ରଖିବା ତଥା ଏହାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ଏଣୁ ପ୍ରତିବର୍ଷ ଆଜିର ଦିନକୁ ‘ହିନ୍ଦୀ ଦିବସ’ ଭାବେ ପାଳନ କରାଯାଉଛି। ଭାରତ ସମେତ ଅନ୍ୟ ଦେଶରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଲାଗି ଜାନୁଆରୀ ୧୦ରେ ‘ବିଶ୍ବ ହିନ୍ଦୀ ଦିବସ’ ପାଳନ କରାଯାଉଥିବା ବେଳେ ଭାରତରେ ସେପ୍ଟେମ୍ବର ୧୪ରେ ପାଳନ କରାଯାଏ ହିନ୍ଦୀ ଦିବସ।

ପ୍ରଥମେ ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ ବହୁ ପ୍ରୟାସ କରିଥିଲେ ହିନ୍ଦୀ ସାହିତ୍ୟିକ ରାଜେନ୍ଦ୍ର ସିଂହ । ସେ ଏହିଦିନ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଜନ୍ମଦିନକୁ ‘ହିନ୍ଦୀ ଦିବସ’ ଭାବେ ବି ପାଳନ କରାଯାଉଛି। ତେବେ ୧୯୪୯ରେ ସମ୍ବିଧାନ ସଭା ଦ୍ବାରା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବେ ଗୃହୀତ କରାଗଲା। ମାତ୍ର ଏହାକୁ ବିଧିବଦ୍ଧ ଭାବେ ପ୍ରଥମଥର ପାଇଁ ୧୯୫୩ ମସିହା ସେପ୍ଟେମ୍ବର ୧୪ରେ ଲାଗୁ କରାଯାଇଥିଲା। ସେବେଠାରୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି। ଅବଶ୍ୟ ଭାରତରେ ଇଂରାଜୀ ଭାଷାର ବଢ଼ୁଥିବା ପ୍ରଚଳନ ଓ ହିନ୍ଦୀ ଭାଷା ପ୍ରତି ଅବହେଳାକୁ ରୋକିବା ଉଦ୍ଦେଶ୍ୟରେ ଏହାର ପାଳନ ଆରମ୍ଭ ହୋଇଥିଲା।

ମହାତ୍ମା ଗାନ୍ଧୀ ମଧ୍ୟ ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ କହିଥିଲେ। ଯଦିଓ ଏହା ଭାରତର ରାଷ୍ଟ୍ରଭାଷା ନୁହେଁ; ଏହା ହେଉଛି ରାଜଭାଷା। ହିନ୍ଦୀ ଭାଷାକୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ସରକାରୀ ଦପ୍ତରରେ ଇଂରାଜୀ ପରିବର୍ତ୍ତେ ହିନ୍ଦୀର ଉପଯୋଗ କରାଯାଏ।