ଆଜି ହେଉଛି ଛେନାପୋଡ଼ ଦିବସ: ସୋସିଆଲ ମିଡିଆରେ ଛେନାପୋଡ଼ ଦିବସ ପାଳନ

0

ଭୁବନେଶ୍ୱର: ‘ମିଠା’ ଏହାର ନାଁ ଶୁଣି ଅନେକଙ୍କର ଲୋଭ ବଢ଼ି ଯାଇଥାଏ । ସେ ମିଠା ମାନଙ୍କର ରାଜା ରସଗୋଲା ହେଉ ଅବା ଗୋଲାପ ଜାମୁନ, ଚମ୍ ଚମ୍, ଛେନା ଝିଲ୍ଲୀ, ରସାବଳି କିମ୍ବା ଲଡୁ । ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ମିଠା ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସି ଯାଇଥାଏ । ତେବେ ଆଜି ହେଉଛି ଛେନାପୋଡ଼ ଦିବସ । ଆଜି ସମସ୍ତେ ସୋସିଆଲ ମିଡିଆରେ ଛେନାପୋଡ ଦିବସ ପାଳନ କରୁଛନ୍ତି । ଛେନାପୋଡ ପ୍ରତ୍ୟେକ ଓଡିଆଙ୍କ ଭାରି ପସନ୍ଦ । ଏପରିକି ବାହୁଡା ଦିନ ମହାପ୍ରଭୁଙ୍କୁ ମଧ୍ୟ ଛେନାପୋଡ ଅର୍ପଣ କରାଯାଇଥାଏ ।

ଅନ୍ୟପକ୍ଷେ ନୟାଗଡ ଛେନାପୋଡକୁ ବିଶ୍ୱସ୍ତରୀୟ କରାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ନୟାଗଡ ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ୱ ଛେନାପୋଡ ଦିବସ ରୂପେ ପାଳନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଭିନ୍ନ ଅନୁଷ୍ଠାନ l ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛେନାପୋଡ଼ ଦିବସ ନେଇ ଚର୍ଚ୍ଚା ହେଉଛି ।ତେବେ ଏପ୍ରିଲ ୧୧ ତାରିଖ କାହିଁକି ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି, ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା ।

  • ଏମିତି ହୋଇଥିଲା ଛେନାପୋଡର ପ୍ରସ୍ତୁତି

ନିଜ ଜଳଖିଆ ଦୋକାନରେ ବଳିପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଞ୍ଚେଇବା ପାଇଁ ସୁଦର୍ଶନ ସାହୁ ଏହି ଉଦ୍ୟମ କରିଥିଲେ । ତାଙ୍କ ଦୋକାନରେ ବଳକା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡପିଠା ପ୍ରସ୍ତୁତ କରିଥିଲେ ସୁଦର୍ଶନ। କିନ୍ତୁ ଛେନାକୁ ପୋଡ଼ି ଏହି ମିଠା ପ୍ରସ୍ତୁତ କରାଯାଉଥିବାରୁ ନାଁ ତାର ରଖା ହେଲା ଛେନାପୋଡ଼ । ସେଥିପାଇଁ ସୁଦର୍ଶନଙ୍କୁ ଛେନାପୋଡର ସ୍ରଷ୍ଟା ବୋଲି କୁହାଯାଉ ଥିବାବେଳେ ପରେ ଧିରେ ଧିରେ ବଢିବାକୁ ଲାଗିଥିଲା ଛେନାପୋଡ଼ର ଚାହିଦା ।

ଏପ୍ରିଲ ୧୧ ତାରିଖରେ ଛେନାପୋଡର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନ ହୋଇଥିବାରୁ ଏହି ଦିନକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । କେବଳ ଏତିକି ନୁହେଁ ରସଗୋଲା ଭଳି ଏହାକୁ ମଧ୍ୟ ବିଶ୍ୱସ୍ତରୀୟ କରାଇବା ପାଇଁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି ଉଠିଛି । ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ସମସ୍ତେ ପାଳନ କରିଥାନ୍ତି । ନିଳାଦ୍ରୀ ବିଜେ ଦିନକୁ ରସଗୋଲା ଦିବସ ଭାବେ ସମସ୍ତେ ପାଳନ କରିଥାନ୍ତି । ସେହିପରି ଛେନାପୋଡ ବି ଓଡିଆଙ୍କର ବେସ୍ ପ୍ରିୟ ହୋଇଥିବାରୁ ଆଜିର ଦିନକୁ ଛେନାପୋଡ ଦିବସ ଭାବେ ପାଳନ କରିବାକୁ ସମସ୍ତେ ଅଣ୍ଟାଭିଡିଛନ୍ତି ।