ଆଜି ପବିତ୍ର ରାମନବମୀ: ଭକ୍ତ ଓ ଭଗବାନଙ୍କ ମିଳନ

0

ବ୍ୟୁରୋ: ଆଜି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭଗବାନଙ୍କ ଠାରୁ ଦୁରେଇ ରହିଥିବା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଜି ମିଳନ ହେବ । ରାମ ନବମୀ ପାଇଁ ରାଜ୍ୟ ତଥା ଦେଶର ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ଆରମ୍ଭ ହୋଇଯାଇଛି । ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀରାମ ଜନ୍ମ ଉତ୍ସବ ପାଳନ କରାଯାଏ। ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ର ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ ହେଉଛି। ସକାଳୁ ସକାଳୁ ପ୍ରଭୁ ଶ୍ରୀ ରଘୁନାଥ ଙ୍କ ନୀତି କାନ୍ତି ସହ ଜନ୍ମୋତ୍ସବ ପାଳନ କରାଯାଇଛି।

ଆଜି ଠାରୁ ନଅ ଦିନ ବ୍ୟାପୀ ଏଠାରେ ସୁଆଙ୍ଗୀ ମାଧ୍ୟମରେ ଶ୍ରୀ ତୁଳସୀ ଦାସ ବର୍ଣ୍ଣିତ ରାମାୟଣ ଅନୁଷ୍ଠିତ ହେବ। ଆସନ୍ତା ୧୬ ତାରିଖ ଚୈତ୍ର ପୂର୍ଣ୍ଣିମାରେ ପ୍ରଭୁ ଶ୍ରୀ ରଘୁନାଥ ଜୀଉ କେଣ୍ଟାଳ,ମଲ୍ଲିପୁର ମନ୍ଦିର ରୁ ମହା ପଟୁଆରରେ ବାହାରି କରି କୋଇଲୋ ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର କୁ ବିଜେ କରିବେ। ଯାହାକୁ “ଦାଣ୍ଡ ଯାତ୍ରା” ବୋଲି ବର୍ଣ୍ଣିତ କରାଯାଇଛି। ପ୍ରଭୁ ଶ୍ରୀ ରଘୁନାଥ ଏହି ଦାଣ୍ଡରେ ଯାତ୍ରା କଲାବେଳେ ଭକ୍ତ ମାନଙ୍କ ମନୋବାଞ୍ଚା ପୂର୍ଣ୍ଣ କରନ୍ତି ବୋଲି ମନରେ ଅକୁଣ୍ଠ ବିଶ୍ବାସ ରହିଛି।

ଆଜି ଶ୍ରୀ ରଘୁନାଥ ଙ୍କ ଜନ୍ମୋତ୍ସବ ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଏଠାରେ ପରିଲକ୍ଷିତ ହେଉଛି। ଏଠାରେ ବିଶେଷତ୍ଵ ହେଲା, ପ୍ରଭୁ ଶ୍ରୀ ରଘୁନାଥ ଙ୍କୁ ଶ୍ରଦ୍ଧାଳୁ ମାନାସୀ ଥିବା ମନସ୍କାମନା ପୂର୍ଣ୍ଣ ହେଲେ ପୀଠରେ ବାଣ ଫୁଟାଇ ଥାଏ। ଶହ ଶହ ବର୍ଷ ତଳୁ ଏହି ପରମ୍ପରା ଏଠାରେ ଚାଲି ଆସୁଅଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବିଭାଗ ପକ୍ଷରୁ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ, ପୋଲିସ ଅଫିସର ଏବଂ ସ୍ବୋଛାସେବୀ ମାନେ ମୃତୟନ ହୋଇଛନ୍ତି।