ଭୁବନେଶ୍ବର: ରାଜ୍ୟରେ ଏବେ ଆସନ୍ତା ୨ରୁ ୩ ଦିନ ଯାଏଁ ଖରଟିଏ ପାଗ ସାଙ୍ଗକୁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ରାଜ୍ୟରେ ବିଶେଷ ବର୍ଷା ହେବାର ମଧ୍ୟ ସମ୍ଭାବନା ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୧୮ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ମୌସୁମୀ ଏବେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ।
ଅନ୍ୟପଟେ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ଆକଳନ ଅନୁଯାୟୀ ଅକ୍ଟୋବରରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ସବୁ ଉପକୂଳ ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ। ଉପକୂଳବର୍ତ୍ତୀ ଜିଲ୍ଲା ସଂଲଗ୍ନ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଉଭୟ ଅକ୍ଟୋବର ଓ ନଭେମ୍ବର ମାସରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଫଳରେ ରାଜ୍ୟକୁ ବିଳମ୍ବରେ ଶୀତ ଆସିବ।
🌡️ଆଗାମୀ 2 ରୁ 3 ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ଦିନ ତାପମାତ୍ରା ରେ ବୃଦ୍ଧି ସହ
☃️ଉପକୂଳ ଓଡିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା
⛈️ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଜଳୀୟବାଷ୍ପ କିଛି ଜିଲ୍ଲାରେ ବିଜୁଳିଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ, ଚେତାବନୀ ଜାରିକରାଯାଇଛି
— Meteorological Centre, Bhubaneswar (@mcbbsr) September 15, 2022