‘ନିଜର ସୁରକ୍ଷା ପାଇଁ ତୁରନ୍ତ ଖାରକିଭ ଛାଡ଼ି ଦିଅନ୍ତୁ’ : ଭାରତୀୟ ଦୂତାବାସ

0

(ଦିଲ୍ଲୀ)  : ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି। ଖାରକିଭ୍‌ରେ ଆକ୍ରମଣ ଜାରି ରହିଥିବା ବେଳେ ଭାରତୀୟମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଏସବୁ ଭିତରେ ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଖାରକିଭରେ ଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ତୁରନ୍ତ ଖାରକିଭ୍‌କୁ ଛାଡ଼ିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

 

ସୂଚନାନୁଯାୟୀ ,  ଦୂତାବାସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ନିଜର ସୁରକ୍ଷା ପାଇଁ ଭାରତୀୟମାନେ ତୁରନ୍ତ ଖାରକିଭ ଛାଡ଼ି ଦିଅନ୍ତୁ। ସେମାନେ ଖାରକିଭରୁ ବାହାରି ପିସୋଚିନ, ବେଜଲୟୁଡୋଭାକ ଓ ବାବୟେକୁ ଚାଲି ଯାଆନ୍ତୁ। ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଏହି ସବୁ ସ୍ଥାନ ଅଭିମୁଖେ ଭାରତୀୟମାନେ ବାହାରି ଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଆଗକୁ ରୁଷ ଆକାଶ ପଥରୁ ଖାରକିଭରେ ବଡ଼ ହମଲା କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ କାଳୀନ ସତର୍କ ସୂଚନା ଜାରି କରାଯାଇଛି।