ଡବ୍ଲୁଏଚଓରୁ ଓହରିଲା ଆମେରିକା

0

ୱାସିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)କୁ ଝଟକା । ଆମେରିକା ଆନୁଷ୍ଠାନିକ ଭାବେ ଡବ୍ଲୁଏଚଓରୁ ବାହାରି ଯାଇଛି। ବୁଧବାର ଜାତିସଂଘ ମହାସଚିବଙ୍କୁ ଏ ନେଇ ଜଣାଇ ଦିଆଯାଇଥିବା ଅଧିକାରୀ କହିଛନ୍ତି। ଆମେରିକା ଔପଚାରିକ ଭାବେ ନିଜକୁ ଡବ୍ଲୁଏଚଓରୁ ହଟାଇ ନେଇଥିବା ସିନେଟର ରବର୍ଟ ମେଣ୍ଡଜ୍ ମଙ୍ଗଳବାର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରିଥିଲେ। ତେବେ ଏ ନେଇ ଅନେକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଆନୁଷ୍ଠାନିକ ଘୋଷଣା କରିବା ସହ ସଂସ୍ଥାକୁ ପାଣ୍ଠି ବନ୍ଦ କରିଦେଇଥିଲେ। ଆମେରିକୀୟ ଗଣମାଧ୍ୟମ ଅନୁସାରେ ଟ୍ରମ୍ପ ପ୍ରଶାସନ ନିଜର ସଦସ୍ୟତା ପ୍ରତ୍ୟାହାର ଲାଗି ଚିଠି ଲେଖି ଜଣାଇ ଦେଇଛନ୍ତି। ସେହି ଅନୁସାରେ ଜୁଲାଇ ୬ ତାରିଖରୁ ଆମେରିକା ଡବ୍ଲୁଏଚଓଙ୍କର ଆଉ ସଦସ୍ୟ ନାହାନ୍ତି। ତେବେ ୧୯୮୪ମସିହାରେ ନିର୍ଦ୍ଧାରିତ ନିୟମ ଅନୁସାରେ କୌଣସି ସଦସ୍ୟ ରାଷ୍ଟ୍ର ସଙ୍ଗଠନରୁ ବାହାରିବାକୁ ହେଲେ ବର୍ଷକ ପରେ ଏଥିଲାଗି ଅନୁମତି ମିଳେ। ଏହି ସମୟରେ ସମ୍ପୃକ୍ତ ଦେଶଙ୍କୁ ସଙ୍ଗଠନଙ୍କ ସମସ୍ତ ବକେୟା ଚୁକ୍ତା କରିବାକୁ ପଡେ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡବ୍ଲୁଏଚଓଙ୍କୁ ତାଙ୍କର ନିଷ୍ପତ୍ତି ଜଣାଇ ଦେଇଛନ୍ତି। ହୁଏତ ଡବ୍ଲୁଏଚଓ ଏବଂ ଅନ୍ୟ ଦେଶଙ୍କ ଲାଗି ଏହା ଝଟକା ହୋଇପାରେ, ହେଲେ କରୋନା ମହାମାରୀରେ ସ୍ୱାସ୍ଥ୍ୟ ସଙ୍ଗଠନଙ୍କ ଦାୟିତ୍ୱହୀନତା ଲାଗି ଆମେରିକା ଏହି ପଦକ୍ଷେପ ନେଇଥିବା ସ୍ପଷ୍ଟ ଜଣାଇ ଦେଇଛନ୍ତି। ଅତୀତରେ କରୋନା ସଂକ୍ରମଣକୁ ନେଇ ଆମେରିକା ଡବ୍ଲୁଏଚଓ ଚୀନ୍‌ ଅଧୀନରେ କାମ କରୁଥିବାର ଅଭିଯୋଗ କରିଥିଲା। ଏଥିଲାଗି ସଂସ୍ଥାକୁ ଆମେରିକା ଫଣ୍ଡିଂ ରୋକିଦେଇଥିଲା।